କନକ ବ୍ୟୁରୋ : ସରକାରଙ୍କ ବିରୋଧରେ ପ୍ରଦର୍ଶନ ଏବେ ନେପାଳ ପରେ ବ୍ରିଟେନରେ ପହଂଚିଛି । ଶନିବାର ଦିନ ଲଣ୍ଡନର ସଡକ ଉପରେ ବ୍ରିଟେନ ଇତିହାରର ସବୁଠାରୁ ବଡ଼ ପ୍ରଦର୍ଶନ ଦେଖିବାକୁ ମିଳିଛି । କୁହାଯାଉଛି କି, ଏହି ପ୍ରଦର୍ଶନରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏହି ସବୁ ପ୍ରଦର୍ଶନକାରୀ ଟମି ରବିନସନଙ୍କ କଥାରେ ସଡ଼କ ଉପରେ ଏକଜୁଟ୍ ହୋଇଥିଲେ । ଏବେ ଆସନ୍ତୁ ଜାଣିବା କାହିଁକି ଏହି ଆନ୍ଦୋଳନ,
୪୧ ବର୍ଷିୟ ଟମି ରବିନସନଙ୍କ ପ୍ରକୃତ ନାମ ହେଉଛି ଷ୍ଟିଫନ ୟାକ୍ସିଲ ଲେନନ । ତାଙ୍କ ନାମରେ ଅନେକ ଆପରାଧିକ ମାମଲା ରହିଛି । ଏହି ରେକର୍ଡ କାରଣରୁ ତାଙ୍କୁ ଅନେକ ଥର ଜେଲ ଯିବାକୁ ପଡ଼ିଛି । ବ୍ରିଟେନରେ ବଢ଼ୁଥିବା ଇସଲାମ୍ ଧର୍ମୀୟ ଲୋକଙ୍କ ବିରୋଧରେ ସେ ଦୀର୍ଘବର୍ଷ ହେବ ଆନ୍ଦୋଳନ କରୁଛନ୍ତି । ଏଥିପାଇଁ ୨୦୦୯ ମସିହାରେ ସେ ଇଂଲିସ୍ ଡିଫେନ୍ସ ଲିଗର ସ୍ଥାପନା କରିଥିଲେ । ଏହା ସଡ଼କ ଉପରେ ଚାଲୁଥିବା ଏକ ଆନ୍ଦୋଳନ ଥିଲା । ୨୦୧୩ ମସିହାରେ ଏହି ଆନ୍ଦୋଳନ ହିଂସକ ରୂପ ନେବାରୁ ରବିନସନ ସଂସ୍ଥାର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ହେଲେ ସଂସ୍ଥାର କାର୍ୟ୍ୟକର୍ତ୍ତା ଓ ଅନଲାଇନ୍ ପ୍ରଚାରକ ଭାବେ କାର୍ୟ୍ୟ ଚଳାଉଥିଲେ । ତାଙ୍କର ମୁଖ୍ୟ ଦାବି ରହିଛି କି ବ୍ରିଟେନରେ ଦିନକୁ ଦିନ ଇସଲାମ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ସରକାର ଏହା ଉପରେ ଲଗାମ୍ ଲଗାନ୍ତୁ ।
ଯଦି ଆମେ ରବିନସନଙ୍କ ଆପରାଧିକ ରେକର୍ଡ ଉପରେ ନଜର ପକାଇବା ତେବେ ଏହି ତାଲିକା ଅନେକ ଲମ୍ବା । ତାଙ୍କ ବିରୋଧରେ ଆକ୍ରମଣ, ବନ୍ଧକ, ଲୋକଙ୍କୁ ଠକିବା, ଆଇନ ଅବମାନନା କରିବା ଭଳି ଅନେକ ମାମଲା ରହିଛି । ୨୦୨୪ ରେ ଏକ ମାମଲାରେ ସେ ୧୮ ମାସ ଧରି ଜେଲରେ ରଖାଯାଇଥିଲା । ୨୦୨୧ ରେ ତାଙ୍କୁ ଦେବାଳିଆ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ଏସବୁ ପରେ ମଧ୍ୟ ବ୍ରିଟେନରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ବୋଲି ଗଣନା କରାଯାଏ ।
ସେପଟେ ଏବେ ରବିନସନଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଆମେ ଆମର ସ୍ୱାଧୀନତା ପାଇଁ ଲଣ୍ଡନ ସଡ଼କ ଉପରେ ଏକଜୁଟ ହୋଇଛୁ । ସାରା ବିଶ୍ୱର ଅନେକ ଦେଶ ଏବେ ଯୁଦ୍ଧ ବିଭିଷୀକାରେ ସନ୍ତୁଳିତ ହେଉଛି । ଗାଜା ଓ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ । ୟୁକ୍ରେନ ଉପରେ ଋଷର ଆକ୍ରମଣ, ଭାରତ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ସେପଟେ ଶ୍ରୀଲଙ୍କାରେ ଜନ ବିଦ୍ରୋହ, ବାଂଲାଦେଶରେ ରାଜନୈତିକ ଷଡଯନ୍ତ୍ର ଓ ଏବେ ଏବେ ନେପାଳରେ ଦକ୍ଷିଣପନ୍ଥୀଙ୍କ ବିଦ୍ରୋହ ଫଳରେ ବାମପନ୍ଥୀ ସରକାରର ପତନ । ଏସବୁ ଭିତରେ ବ୍ରିଟେନରେ ଧାର୍ମିକ ହିଂସା ଯେ କାଲି ବ୍ରିଟେନ ଭଳି ଏକ ଆର୍ଥିକ ଶକ୍ତିଶାଳୀ ସରକାରକୁ ଗାଦିଚ୍ୟୁତ ନକରିବ ସେକଥା କିଏ କହିପାରିବ ।
ବ୍ୟୁରୋ ରିପୋର୍ଟ କନକ ନ୍ୟୁଜ୍