କନକ ବ୍ୟୁରୋ:  ଚଳିତ ବର୍ଷ ମୌସୁମୀ ଦେଶର ବିଭିନ୍ନ ରାଜ୍ୟରେ ଭୟଙ୍କର ରୂପ ଧାରଣ କରିଛି । ପାହାଡ଼ିଆ ଅଞ୍ଚଳରୁ ଆରମ୍ଭ କରି ସମତଳ ଭୂମି ପର୍ଯ୍ୟନ୍ତ ସବୁଠି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ତୀର୍ଥଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ, ଉତ୍ତର ପ୍ରଦେଶରେ ଯମୁନା ନଦୀ ତାଜମହଲ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ସେହିପରି ଗୁଜୁରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଗୁଜୁରାଟର ପୋରବନ୍ଦରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଫଳରେ ସହରର ଅନେକ ଅଞ୍ଚଳରେ ପାଣି ଜମି ରହିଛି ଏବଂ ଲୋକଙ୍କ ଘରେ ପାଣି ପଶିଯାଇଛି ।  ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟି କରୁଛି ।  ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି ।

Advertisment


ମୌସୁମୀ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ରାଜ୍ୟରେ ବନ୍ୟା, ଭୂସ୍ଖଳନ ଏବଂ ବାଦଲଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି ।  କୁଲ୍ଲୁ, ମଣ୍ଡି, ଶିମଲା ଏବଂ ସୋଲାନ ଭଳି ଜିଲ୍ଲାଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।  ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ, ଅନେକ ଲୋକ ଏବେବି ନିଖୋଜ ଅଛନ୍ତି । ରାଜ୍ୟ ସରକାର ଏହାକୁ "ରାଜ୍ୟ ବିପର୍ଯ୍ୟୟ" ଘୋଷଣା କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ।