କନକ ବ୍ୟୁରୋ: ଯଦି ଆପଣ ବି ଆପଣଙ୍କ ପିଲାଙ୍କ ଆଧାର କାର୍ଡ ଅପ୍ଡେଟ୍ କରାଇନାହାନ୍ତି, ତାହାଲେ ଶୀଘ୍ର କରାଇ ନିଅନ୍ତୁ । ବର୍ତ୍ତମାନ ପିଲାଙ୍କ ପାଇଁ ବି ଆଧାର କାର୍ଡ କରାଇବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ UIDAI ଜାରି କରିଛି ନୂଆ ଗାଇଡଲାଇନ୍ । ଏଣୁ ସ୍ୱତନ୍ତ୍ର ଭାବେ ସମସ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଅବଗତ କରାଯାଇଛି । ଏଣୁ ଆପଣଙ୍କୁ ଆପଣଙ୍କ ଆଧାରକାର୍ଡ ତୁରନ୍ତ ଅପଡେଟ୍ କରାଇବା ଜରୁରୀ । ପିଲାଙ୍କୁ ୫ ବର୍ଷ ହୋଇଥିବା ବେଳେ ଆଧାରକାର୍ଡ କରାଇବାକୁ ହେବ । ଏହାପରେ ୧୫ ବର୍ଷ ବୟସରେ ପୁଣି ଥରେ ଆଧାର କାର୍ଡ ଅପ୍ଡେଟ୍ କରାଇବାକୁ ହେବ ।
ତେବେ ଏଥିପାଇଁ ବିଶେଷ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । କାରଣ UIDAI କହିଛି ଆଧାର କାର୍ଡ ଅପ୍ଡେଟ୍ ପାଇଁ ପ୍ରତ୍ୟେକ ସ୍କୁଲ୍ରେ କ୍ୟାମ୍ପ୍ ଲାଗିବ । ବର୍ତ୍ତମାନ ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍ଫର୍ମେସନ୍ ସିଷ୍ଟମ ଫର୍ ଏଜୁକେସନ ପ୍ଲସ୍ ଆପ୍ଲିକେସନକୁ ସ୍କୁଲ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବ UIDAI । ଯାହାଦ୍ୱାରା କେଉଁ କେଉଁ ପିଲାଙ୍କ ଆଧାର କାର୍ଡ ଅପ୍ଡେଟ୍ ହୋଇନି ତାହା ସ୍ପଷ୍ଟ ହୋଇଯିବ ।
UIDAI ମୁତାବକ ଠିକ୍ ସମୟରେ ଆଧାର କାର୍ଡ ଅପ୍ଡେଟ୍ କରାଇବା ନିହାତି ଜରୁରୀ । ବର୍ତ୍ତମାନ ସାରା ଦେଶରେ ଏଭଳି ୧୭ କୋଟି ଏମିତି ଆଧାର ନମ୍ବର ଅଛି ଯାହା ଅପ୍ଡେଟ୍ ହେବାକୁ ବାକି ରହିଛି । ଏହା ନକରାଇଲେ ପିଲାମାନେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହୋଇପାରନ୍ତି ।
ଆଧାର କାର୍ଡ ଅପ୍ଡେଟ୍ ନକରାଇଲେ ନିଟ୍, ଜେଇଇ, ସିୟୁଇଟି ଭଳି ୟୁନିଭର୍ସିଟି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ବେଳେ ସମସ୍ୟା ପଡ଼ିପାରନ୍ତି ପିଲାମାନେ । ଏଣୁ UIDAI ସ୍ପଷ୍ଟ କରିଛି ଯେ ୫ରୁ ୧୫ ବର୍ଷୀୟ ପିଲାମାନେ ବାୟୋମେଟ୍ରିକ ଅପ୍ଡେଟ୍ କରାଇବା ଜରୁରୀ । କାରଣ ଏଭଳି ପ୍ରକ୍ରିୟା ଦ୍ୱାରା ଆଧାର ଡାଟା ସଠିକ ରହିଥାଏ । ସ୍କୁଲ୍ରେ ଆଧାର କ୍ୟାମ୍ପ୍ ଲାଗିବାକୁ ଥିବାରୁ ଅଭିଭାବକ ଓ ପିଲାଙ୍କ ପାଇଁ ଆଧାର ଅପ୍ଡେଟ୍ କରାଇବା ସହଜ ଓ ସରଳ ହେବ ।
ସମୟ ସମୟରେ ଆଧାର କାର୍ଡକୁ ନେଇ ନୂଆ ନୂଆ ଅପ୍ଡେଟ୍ ଆସିଥାଏ । ଏହା ଜାଣିବା ଜରୁରୀ । ନହେଲେ ଜରୁରୀ କାର୍ଯ୍ୟରେ ବାଧା ଉପୁଜିପାରେ । ଏହି କ୍ରମରେ ଏବେ ପିଲାଙ୍କ ଆଧାରକାର୍ଡ ନେଇ ଆସିଛି ଏହି ନୂଆ ଅପ୍ଡେଟ୍ । ଯେକୌଣସି ଆଧାର ଅପ୍ଡେଟ୍ କେନ୍ଦ୍ରକୁ ଯାଇ ଏହି ଅପ୍ଡେଟ୍ କରାଇ ପାରିବେ ପିଲାଏ କିମ୍ବା ଅଭିଭାବକ । ଏହାକୁ ନେଇ ବିସ୍ତୃତ ସୂଚନା ପାଇବାକୁ ହେଲେ ଆଧାର ୱେବ୍ସାଇଟ୍ ଭିଜିଟ୍ କରିପାରିବେ ଲୋକେ ।