କନକ ବ୍ୟୁରୋ: ନିଶାମୁକ୍ତ କ୍ୟାମ୍ପସ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ୟୁଜିସିର ନିର୍ଦ୍ଦେଶ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ଶକ୍ତ ନିର୍ଦ୍ଦେଶ ଦେଇଛି ୟୁଜିସି। ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଶିକ୍ଷକ ବି ନିଶା ଗ୍ରହଣ କରୁନାହାନ୍ତି ବୋଲି ଅଣ୍ଡରଟେକିଂ ଦାଖଲ କରିବେ। ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ କି କୌଣସି ପ୍ରକାର ମାଦକ ଦ୍ରବ୍ୟ ଆଣିପାରିବେ ନାହିଁ। କ୍ୟାମ୍ପସରେ ନିଶା ସେବନକୁ ସଂପୂର୍ଣ୍ଣ ଭାବେ ବାରଣ କରା‌ଯିବ। ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହୋଇଥିବା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶାବଳିକୁ କାର୍ଯ୍ୟକାରୀ କରା‌ଯିବ। ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ନିଶା ଭଳି ବିପଦରୁ ପରବର୍ତ୍ତୀ ପିଢ଼ିକୁ ରକ୍ଷା କରିବା ପାଇଁ ହେଲେ ଏହାର ଭାର ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନେବା ଆବଶ୍ୟକ। ଏନେଇ ୟୁଜିସି ପକ୍ଷରୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ତମାଖୁ ବନ୍ଦ ଏବଂ ତ୍ୟାଗ କରିବାର ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି ସହ ଏହାର ବିକ୍ରୟ ବନ୍ଦ ସଂପର୍କରେ ସଚେତନ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।