Photograph: (kanaknews)
କନକବ୍ୟୁରୋ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୧୨ ରାଜ୍ୟରେ କାର୍ଯ୍ୟ କରୁଥିବା ୩୨ ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରିଛି । ଏହି ଘଟଣା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉଚ୍ଚଶିକ୍ଷାର ବିଶ୍ୱସନୀୟତା ଉପରେ ଏବେ ନୂଆ ଚିନ୍ତା ସୃଷ୍ଟି କରିଛି । ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଏପରି ପ୍ରତିଷ୍ଠାନର ସଂଖ୍ୟା ୨୦ ରୁ ୩୨ କୁ ବୃଦ୍ଧି ପାଇଛି । ଏହା ଅନଧିକୃତ ବିଶ୍ୱବିଦ୍ୟାଳୟର ବଢ଼ନ୍ତା ସଂଖ୍ୟାକୁ ସୂଚିତ କରୁଛି ।
ଏନେଇ ୟୁଜିସି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସତର୍କ ରହିବାକୁ ତଥା ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରବେଶ ନ ନେବାକୁ ପରାମର୍ଶ ଦେଇଛି । ସେସବୁ ବିଶ୍ବିଦ୍ୟାଳୟ ୟୁଜିସି ଆଇନ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ନୁହଁନ୍ତି ତଥା ବୈଧ
ଡିଗ୍ରୀ ପ୍ରଦାନ କରିବାର ଅଧିକାର ବିଶ୍ବବିଦ୍ୟାଳୟଗୁଡ଼ିକର ନାହିଁ।
ତାଲିକାରେ ନୂଆ ଭାବରେ ଯୋଡ଼ି ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ହରିୟାଣା, ରାଜସ୍ଥାନ, ଝାଡ଼ଖଣ୍ଡ ଓ ଅରୁଣାଚଳ ପ୍ରଦେଶ ସାମିଲ ଅଛନ୍ତି । ଏସବୁ ରାଜ୍ୟରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଥିବାରୁ ରିପୋର୍ଟ ହୋଇଛି। କମିସନଙ୍କ ପକ୍ଷରୁ ବେଙ୍ଗାଲୁରୁରେ ଗ୍ଲୋବାଲ ହ୍ୟୁମାନ୍ ପିସ୍ ୟୁନିଭରସିଟି ନାମରେ କାର୍ଯ୍ୟ କରୁଥିବା ଏକ ପ୍ରତିଷ୍ଠାନ ବିଷୟରେ ଏକ ନିର୍ଦ୍ଦିଷ୍ଟ ସତର୍କତା ଜାରି କରି ଚେତାବନୀ ଦେଇଛି ଯେ, ଏହା ଏକ ବିଶ୍ୱବିଦ୍ୟାଳୟ ଭାବରେ କାର୍ଯ୍ୟ କରିବାକୁ ଅଧିକାରପ୍ରାପ୍ତ ନୁହେଁ ।
ଦିଲ୍ଲୀରେ ସର୍ବାଧିକ ନକଲି ବିଶ୍ୱବିଦ୍ୟାଳୟ ରହିଛି। ଜାତୀୟ ରାଜଧାନୀରେ ଏପରି ୧୨ଟି ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ସେଥି ମଧ୍ୟରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଣ୍ଡ ଫିଜିକାଲ୍ ହେଲ୍ଥ ସାଇନ୍ସେସ୍, କମର୍ସିଆଲ୍ ୟୁନିଭରସିଟି ଲିମିଟେଡ୍, ୟୁନାଇଟେଡ୍ ନେସନ୍ସ ୟୁନିଭରସିଟି, ବିଶ୍ୱକର୍ମା ଓପନ୍ ୟୁନିଭରସିଟି ଫର୍ ସେଲ୍ଫ-ଏମ୍ପ୍ଲୟମେଣ୍ଟ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇଞ୍ଜିନିୟରିଂ ଭଳି ଶିକ୍ଷାନୁଷ୍ଠାନର ନାମ ରହିଛି। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ କିଛି ନିୟାମକ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ। ଫଳରେ ତଦାରଖ ଓ କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠିଛି ।
ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ରହିଛନ୍ତି । ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ବହୁ ଶିକ୍ଷାନୁଷ୍ଠାନ ତାଲିକାରେ ଅଛନ୍ତି । ସେହିପରି ପ୍ରୟାଗରେ ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ କୋଲକାତାରେ ଥିବା ଭାରତୀୟ ବିକଳ୍ପ ଚିକିତ୍ସା ପ୍ରତିଷ୍ଠାନ ମଧ୍ୟ ରହିଛନ୍ତି । ହରିୟାଣାର ଫରିଦାବାଦର ମ୍ୟାଜିକ୍ ଓ କଳା ବିଶ୍ୱବିଦ୍ୟାଳୟକୁ ତାଲିକାଭୁକ୍ତ କରାଯାଇଥିବା ବେଳେ ଝାଡ଼ଖଣ୍ଡର ରାଞ୍ଚିର ଦକ୍ଷ ବିଶ୍ୱବିଦ୍ୟାଳୟକୁ ତାଲିକାରେ ରହିଛି ।
ୟୁଜିସି କହିଛି ଯେ, ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ବିନା ଅନୁମୋଦନରେ ଡିଗ୍ରୀ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଭ୍ରମିତ କରୁଛନ୍ତି, ଯାହା ସେମାନଙ୍କର ଶିକ୍ଷାଗତ ଓ କ୍ୟାରିଅର ସମ୍ଭାବନାକୁ ବିପଦରେ ପକାଉଛି। ପ୍ରବେଶ ପାଇଁ ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ୱେବସାଇଟରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ସରକାରୀ ତାଲିକା ଯାଞ୍ଚ କରିବାକୁ କୁହାଯାଇଛି । ଶିକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାୟତଃ ଶୀଘ୍ର ଡିଗ୍ରୀ, କମ ଫିସ୍ କିମ୍ବା ନମନୀୟ ପାଠ୍ୟକ୍ରମର ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରୁଛନ୍ତି। ଅନେକ ଉପଯୁକ୍ତ ଭିତ୍ତିଭୂମି, ଅଧ୍ୟାପକ କିମ୍ବା ଶିକ୍ଷାଗତ ମାନଦଣ୍ଡ ବିନା କାର୍ଯ୍ୟ କରିଥାନ୍ତି ।
ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନ୍ୟ ସମସ୍ୟା ମଧ୍ୟ ଦୃଷ୍ଟିଗୋଚର ହୋଇଛି । କିଛି ନକଲି ଶିକ୍ଷାନୁଷ୍ଠାନ ନିଜକୁ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବରେ ଉପସ୍ଥାପନ କରୁଛନ୍ତି କିମ୍ବା ଆନ୍ତର୍ଜାତୀୟ ସମ୍ପୃକ୍ତି ଦାବି କରୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୈଧ ଶିକ୍ଷାନୁଷ୍ଠାନ ଚିହ୍ନଟ କରିବା ଏବେ କଷ୍ଟକର ହୋଇପଡ଼ିଛି । ଲୋକଙ୍କୁ ସୂଚନା ଦେବା ପାଇଁ ୟୁଜିସି ପକ୍ଷରୁ ନିୟମିତ ଭାବରେ ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକର ଏକ ତାଲିକା ପ୍ରକାଶ କରାଯାଉଛି । ତେବେ ବାରମ୍ବାର ସତର୍କ କରାଯିବା ସତ୍ତ୍ୱେ ଏପରି ପ୍ରତିଷ୍ଠାନଗୂଡ଼ିକର କାର୍ଯ୍ୟକଳାପ ଜାରି ରହିବା ନେଇ ୟୁଜିସି ଚିନ୍ତା ପ୍ରକଟ କରିଛି ।
ଛାତ୍ର ଛାତ୍ରୀମାନଙ୍କ ପାଇଁ ଏଭଳି ଶିକ୍ଷାନୁଷ୍ଠାରେ ପଢ଼ିବା ଗମ୍ଭୀର ହୋଇପାରେ । ନକଲି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଡିଗ୍ରୀ ଚାକିରି, ଉଚ୍ଚଶିକ୍ଷା କିମ୍ବା ସରକାରୀ ସେବା ପାଇଁ ବୈଧ ନୁହେଁ । ନୂଆ ନାମଲେଖା ସମୟ ପାଖେଇ ଆସୁଥିବାରୁ, ୟୁଜିସି ଚେତାବନୀକୁ ପୁନର୍ବାର ଦୋହରାଇଛି । ନାମ ଲେଖା ପୂର୍ବରୁ ବିଶ୍ୱବିଦ୍ୟାଳୟ ସ୍ୱୀକୃତି ଯାଞ୍ଚ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛି । କମିସନ କହିଛନ୍ତି, ନକଲି ବିଶ୍ୱବିଦ୍ୟାଳୟ ବିରୋଧରେ ସଚେତନତା ହିଁ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ସାବ୍ୟସ୍ତ ହୋଇପାରିବ। ଏହାଦ୍ବାରା ଦେଶବ୍ୟାପୀ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇ ପାରିବ ।
Follow Us