କନକ ବ୍ୟୁରୋ:କଥାକୁହା ଆଖି, ଚଳଚଞ୍ଚଳ ହାତ, ପାଦ
୨୧୬ ଘଣ୍ଟା, ଲଗାତାର ୯ ଦିନର ମହାନୃତ୍ୟ
ଦୀକ୍ଷା ନାଚିଲେ, ବିଶ୍ବ ରେକର୍ଡ କଲେ
କର୍ଣ୍ଣାଟକର ଉଡୁପ୍ପିରେ ଆୟୋଜିତ ହୋଇଥିଲା ମାରାଥନ୍ ଡାନ୍ସ ସୋ ।ଏଥିରେ ସମସ୍ତଙ୍କ ନଜର ଅଟକିଥିଲା ଜଣେ କଲେଜ ଛାତ୍ରୀଙ୍କ ଉପରେ ଯିଏ ଅହରହ ନାଚି ବିଶ୍ବ ରେକର୍ଡ ରଚିଲେ । ଘଣ୍ଟାଏ ଦି ଘଣ୍ଟା ନୁହେଁ ପୂରା ୨୧୬ ଦିନ ମାନେ ଲଗାତାର ୯ ଘଣ୍ଟାର ନୃତ୍ୟ । ନା ପାଦକୁ ବିରାମ ନା ହାତ, ଆଖିରେ ଥକ୍କାପଣ । ମନରେ ଯୋଶ୍ । ନାଚି ନାଚି ପାଦରୁ ଝରିଥିଲା ରକ୍ତ । ତଥାପି ଅଟକିନଥିଲେ ଦୀକ୍ଷା । କେବଳ ନୃତ୍ୟର ତାଳ ଉପରେ ମନ । ବାସ୍ ଇମିତି ସାରା ବିଶ୍ବରେ ଇତିହାସ ରଚିଲେ ବିଦୁଷୀ ଦୀକ୍ଷା ।
କେବଳ ଦର୍ଶକ ନୁହନ୍ତି ଲୋକପ୍ରତିନିଧି, ଉପସ୍ଥିତ ମନ୍ତ୍ରୀ ମଧ୍ୟ ବିଦୁଷୀଙ୍କ ନୃତ୍ୟରେ ଚକିତ ହୋଇଥିଲେ । ଅତିଥି କହିଥିଲେ, ଦୀକ୍ଷାଙ୍କ ୯ ଦିନର ନାଚ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ନିଜର ସାହସ, ଦୃଢ଼ତା ଓ ଆତ୍ମବିଶ୍ବାସ ଏହାକୁ ସମ୍ଭବ କରିଦେଖାଇଛି । ତାଙ୍କର ସଫଳତା କେବଳ ତାଙ୍କର ନୁହେଁ ବରଂ ସାରା ଉଡୁପ୍ପି ପାଇଁ ଗୌରବ ।
ଦୀକ୍ଷାଙ୍କ ଗୁରୁ ଶ୍ରୀଧର ବନାଜେ କହିଛନ୍ତି ,’ ମୋ ଶିଷ୍ୟା ଦୀକ୍ଷା ତାର ଶ୍ରେଷ୍ଠ ଚେଷ୍ଟା ଦେଇଛି । ସେ ଯେତେବେଳେ ମାରାଥନ୍ ଭାରତ ନାଟ୍ୟମ୍ କଥା ମୋତେ କହିଲା ମୁଁ ତାକୁ ବିଦ୍ବାତ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଥିଲି କିନ୍ତୁ ଟାର୍ଗେଟରେ ବଢ଼ିଥିଲା । ଏଥିପାଇଁ ଦିନ ରାତି ପରିଶ୍ରମ କରିଥିଲା । ଶେଷରେ ବିଶ୍ବ ରେକର୍ଡ କଲା । ଏଭଳି ଶିଷ୍ୟାକୁ ପାଇ ମୋ ଶିକ୍ଷା କୃତାର୍ଥ ହୋଇଛି’ ।
ଦୀକ୍ଷାଙ୍କ ମାରାଥନ୍ ନୃତ୍ୟ କଥା ଶୁଣି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନିଜକୁ ରୋକିପାରିନଥିଲେ । ଦୀକ୍ଷାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।
ମାରାଥନ୍ ନୃତ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଗୋଲ୍ଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସର ଏସିଆ ମୁଖ୍ୟ ମନୀଷ ବଷ୍ଣୋୟୀ । ଦୀକ୍ଷାଙ୍କୁ ଅଫିସିଆଲ ସାର୍ଟିଫିକେଟ୍ ଦେବା ସହ ଦୀକ୍ଷାଙ୍କୁ ଭୂରୀ ପ୍ରଶଂସା କରିଥିଲେ । ଦୀକ୍ଷା ସାରା ବିଶ୍ବର ନୃତ୍ୟଶିଳ୍ପୀଙ୍କ ପାଇଁ ପ୍ରେରଣା , ସମର୍ପଣର ଜ୍ବଳନ୍ତ ଉଦାହରଣ ବୋଲି କହିଥିଲେ ।