କନକ ବ୍ୟୁରୋ :  କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଭୟରେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଲା ବିଜେଡି। ଏଭଳି ଅଭିଯୋଗ ଆଣିଛି ଉଦ୍ଧବ ଠାକରେଙ୍କ ୟୁବିଟି । ଦଳ ତା’ର ମୁଖପାତ୍ର ‘ସାମନା’ର ସମ୍ପାଦକୀୟରେ ଭୋଟଦାନରୁ ଦୂରେଇ ରହିବା ଅସାମ୍ବିଧାନିକ ବୋଲି ଯୁକ୍ତି ବାଢ଼ିଛି । ସମ୍ପାଦକୀୟରେ ଦଳ ଉଲ୍ଲେଖ କରିଛି ଯେ, କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ ଏବଂ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ  ସବୁଥର ପରି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଭୟରେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ । ଏଭଳି ନିର୍ବାଚନରୁ କେହି ଦୂରେଇ ରହିପାରିବେ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି । ଦଳ ଆହୁରି କହିଛି ଯେ, ଗୋଟିଏ ପଟେ, ଯେତେବେଳେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍ ଦେବାକୁ ବାଧ୍ୟତାମୂଳକ କରିବାକୁ ଦାବି କରାଯାଉଛି, ଅନ୍ୟପଟେ ଦଳଗୁଡ଼ିକ ଘୋଡା ବେପାରରେ ସାମିଲ ହୁଅନ୍ତି ଏବଂ ନିର୍ବାଚନ ବର୍ଜନ କରନ୍ତି । ଏପରି ସ୍ଥିତିରେ ଏଭଳି ଦଳଗୁଡ଼ିକର ପଞ୍ଜିକରଣ ବାତିଲ କରାଯିବା  ଉଚିତ । ସଂସଦର ନିର୍ବାଚିତ ସଦସ୍ୟ ଓ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍ କଲେଜ୍ ଦ୍ୱାରା ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ସେହିପରି ଉପରାଷ୍ଟ୍ରପତି ନିର୍ବାଚନ ଇଲେକ୍ଟୋରାଲ କଲେଜ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ହୋଇଥାଏ । ତେଣୁ ନବନିର୍ବାଚିତ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ନିର୍ବାଚନରେ ଶାସକ ଦଳଙ୍କ ଦ୍ୱାରା ଘୋଡ଼ା ବେପାରକୁ ରୋକିବା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ୟୁବିଟି ଦାବି କରିଛି ।