କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ଲାଗୁ ହେବାକୁ ଯାଉଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ମୁଖ୍ୟମନ୍ତ୍ରୀ ଧାମୀ ଘୋଷଣା କରିଛନ୍ତି ଜାନୁଆରୀ ୨୦୨୫ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ସଚିବାଳୟରେ ଉତ୍ତରାଖଣ୍ଡ ନିବେଶ ଓ ଭିତ୍ତିଭୂମି ବିକାଶ ବୋର୍ଡ ୟୁଆଇଆଇଡିବି ର ଏକ ବୈଠକ କରିଛନ୍ତି । 'ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ'ର ମୌଳିକ ଭାବନାକୁ ଅନୁସରଣ କରି ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋଡ୍ ଆଇନ କାର୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ସମାଜକୁ ଏକ ନୂଆ ଦିଗ ମିଳିବା ଦରକାର ବୋଲି ସେ କହିଛନ୍ତି । ଏହି ଆଇନ ଦେବଭୂମିର ଜନସାଧାରଣ, ବିଶେଷ କରି ମହିଳା ଓ ଶିଶୁଙ୍କ ସଶକ୍ତୀକରଣ ପାଇଁ ନୂଆ ଦ୍ୱାର ଖୋଲିବ ବୋଲି ମୁଖମନ୍ତ୍ରୀ କହିଥିଲେ । ଆମ ସଂକଳ୍ପ ଅନୁଯାୟୀ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ରାଜ୍ୟ ସରକାର କାର୍ୟ୍ୟ ଶେଷ କରିଛନ୍ତି । ୨୦୨୨ ମାର୍ଚ୍ଚରେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା ।