କନକ ବ୍ୟୁରୋ:  ଦୁଇ ରାଷ୍ଟ୍ର ମଧ୍ୟରେ ରଣନୈତିକ ସହଭାଗୀତା ବୃଦ୍ଧି କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ଜାନୁଆରି ୧୯ ଅର୍ଥାତ ଆଜି  ଭାରତ ଗସ୍ତରେ ଆସୁଛନ୍ତି । ଭାରତ ସରକାର କହିଛନ୍ତି, ଯେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ନାହୟାନ୍ ଭାରତ ଗସ୍ତରେ ଆସୁଛନ୍ତି । ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ ଗାଜାରେ ଅସ୍ଥିରତା ଜାରି ରହିଛି । ସେହିପରି ୟେମେନରେ ଆଞ୍ଚଳିକ ଉତ୍ତେଜନା ସଙ୍କଟ ସୃଷ୍ଟି କରିଛି । ଏହାଯୋଗୁ ମଧ୍ୟପ୍ରାଚ୍ୟରେ ଅନିଶ୍ଚିତତା ବୃଦ୍ଧି ପାଇଛି । ଏହି ସମୟରେ ୟୁଏଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ଗସ୍ତକ୍ରମ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ୟୁଏଇ ରାଷ୍ଟ୍ରପତି ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି  । ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଅଲ୍ ନାହୟାନ୍‌ଙ୍କର ତୃତୀୟ ସରକାରୀ ଭାରତ ଗସ୍ତ ଓ ଗତ ଦଶନ୍ଧି ମଧ୍ୟରେ ତାଙ୍କର ପଞ୍ଚମ ଗସ୍ତ ହେବ। ଭାରତୀୟ ନେତୃତ୍ୱଙ୍କ ସହ ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଶିଳ୍ପ ସହଯୋଗ ଓ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି। ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଭାରତ ଓ ୟୁଏଇ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଦେଖିଛନ୍ତି ।

Advertisment

ଅଧିକ ପଢନ୍ତୁ: କାହିଁକି ଆତଙ୍କୀ ଦେଶ ପାକିସ୍ତାନକୁ ସମର୍ଥନ କରୁଛି ତୁର୍କୀ । ଦକ୍ଷିଣ ଆଫ୍ରିକା ଓ ୟୁଏଇର ଭାରତକୁ ସମର୍ଥନ ନେଇ ତୁର୍କୀର ଆକ୍ରୋଶ, ଜାଣନ୍ତୁ କାରଣ

ବିଶେଷକରି ୨୦୨୨ ମସିହାରେ ଏକ ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ବାଣିଜ୍ୟ ଓ ନିବେଶ ବୃଦ୍ଧି ହୋଇପାରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ଗତ ଦୁଇ ବର୍ଷ ମଧ୍ୟରେ ୟୁଏଇର ବରିଷ୍ଠ ନେତାମାନଙ୍କ ଭାରତ ଯାତ୍ରା ସମେତ ସମ୍ପ୍ରତି ଉଚ୍ଚସ୍ତରୀୟ ଆଦାନପ୍ରଦାନ ଦ୍ୱାରା ସୃଷ୍ଟି ହୋଇଥିବା ଗତି ଉପରେ ଆଧାରିତ । ଭାରତ ଓ ୟୁଏଇ ମଧ୍ୟରେ ଉଷ୍ମ, ଘନିଷ୍ଠ ଏବଂ ବହୁମୁଖୀ ସମ୍ପର୍କ ରହିଛି । ଯାହା ସୁଦୃଢ଼ ରାଜନୈତିକ, ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କ ଦ୍ୱାରା ପ୍ରତିଷ୍ଠିତ। ଦୁଇ ଦେଶ ପରସ୍ପରର ଶ୍ରେଷ୍ଠ ବାଣିଜ୍ୟ ଏବଂ ନିବେଶ ଅଂଶୀଦାରମାନଙ୍କ ମଧ୍ୟରୁ ଅନ୍ୟତମ । ଯାହା ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା,ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା ଓ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଭଳି ବ୍ୟବସ୍ଥାକୁ ବିକଶିତ କରୁଛି । ଭାରତ ଓ ୟୁଏଇ ମଧ୍ୟ ଏକ ଦୃଢ଼ ଶକ୍ତି ସହଭାଗୀତା ବଜାୟ ରଖିଛନ୍ତି। ଯେଉଁଥିରେ ଦୀର୍ଘକାଳୀନ ଶକ୍ତି ଯୋଗାଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ଭାରତର ଶକ୍ତି ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ଦୁଇ ନେତାଙ୍କୁ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ନୂତନ ସୀମା ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ ।