କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖଣି ଦୁର୍ନୀତି ନେଇ ଧରପଗଡ ଆରମ୍ଭ ହୋଇଛି । ଲଗାତାର ସୁନ୍ଦରଗଡର ବିଭିନ୍ନ ଖଣିରେ ଚାଲିଛି ଚଢାଉ । ଏହା ଭିତରେ ଜାମକାନୀ ରିଜର୍ଭ ଫରେଷ୍ଟରେ ୧୦ଟି ଖଣିରେ ଚଢାଉ ହୋଇଥିବା ସୂଚନା ରହିଛି ।
ସୁନ୍ଦରଗଡ଼ରେ ଖଣି ଚୋରି ଘଟଣାରେ ଡିଡିଏମଙ୍କୁ ରିପୋର୍ଟ ତଲବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି ଖଣି ନିର୍ଦ୍ଦେଶକ ରୋହିତ ଲେଙ୍କା । ରିପୋର୍ଟ ମିଳିବା ପରେ ସରକାର ପଦକ୍ଷେପ ନେବେ । ସୁନ୍ଦରଗଡ଼ ଜିଲ୍ଲାରେ କଳାହୀରାର କଳା ସାମ୍ରାଜ୍ୟ ବର୍ଷ ବର୍ଷ ଧରି ଚାଲିଛି । ତେଲେନଡିହି ପରେ ରତନସରାରେ ମଧ୍ୟ ଚଢ଼ାଉ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ, ହେମଗିରି ତହସିଲଦାର ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ାଉ କରାଯାଇଛି । କନକ ନ୍ୟୁଜ୍ରେ ଅପରେସନ୍ କଳାହୀରା ଖବର ପ୍ରସାରଣ ପରେ ତେଜିଛି ଜିଲ୍ଲା ପ୍ରଶାସନ । ଆଜି କନକ ନ୍ୟୁଜର ଅପରେସନ ପାର୍ଟ-୨ ପରେ ପୁଣି ଆକ୍ସନ ମୁଡରେ ପ୍ରଶାସନ । ଆମେ ଦେଖାଇଥିବା ରତନସରାରେ ଚଢ଼ାଉ କରିଛି ମିଳିତ ସ୍କ୍ୱାର୍ଡ ଟିମ୍ । ଉପଜିଲ୍ଲାପାଳ , ପୋଲିସ ଓ ତହସିଲ ଟିମ ମିଳିତ ଭାବରେ ଚଢ଼ାଉ କରିଛନ୍ତି । ରତନସରାରେ ବି ୧୦ ରୁ ଅଧିକ ଖଣି ରେ ଚଢ଼ାଉ କଲା ଟିମ୍ । ବିପୁଳ ଚୋରା କୋଇଲା ଜବତ ହୋଇଛି । କଳା ହୀରା କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲାପାଳ । ସୁନ୍ଦରଗଡ଼ ଉପଜିଳ୍ଲାପାଳ, ଡେପୁଟି ଡାଇରେକ୍ଟ ର ମାଇନ୍ସ ଓ ହେମଗିରି ତହସିଲଦାରଙ୍କୁ ଚିଠି କରି ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେଲେନଡ଼ିହି ର ବିଶାଳ ଚୋରା ମାଇନ୍ସରୁ କୋଇଲା ହେଉଥିଲା ଚାଲାଣ । କୋଲ ୱାସେରି ଓ କୋଲ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହ । ଅଂଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକର ହିସାବ ନେବା ପାଇଁ ଚିଠିରେ ନିର୍ଦ୍ଦେଶ ହୋଇଛି । ଯଦି ହିସାବରୁ ବେଶୀ କୋଇଲା ବାହାରିଲା ତାହା କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସେପଟେ ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ ପହଞ୍ଚିଥିଲା କନକ ନ୍ୟୁଜ୍ । ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର ।