କନକ ବ୍ୟୁରୋ : ଶ୍ରାବଣ ପୂର୍ଣ୍ଣିମାରେ ଗାଁ ଶିବ ମନ୍ଦିରକୁ ପାଣି ଢାଳିବାକୁ ଯାଇ ପ୍ରାଣ ହରାଇଛନ୍ତି ୨ ଭଉଣୀ । ୫ ଦିନର ସନ୍ଧାନ ପରେ ମିଳିଛି ମୃତଦେହ । ଭଉଣୀଙ୍କ ଫେରିବା ବାଟକୁ ଚାହିଁ ବସିଛି କୁନି ଭାଇ । ଉଭଣୀମାନେ ଆସିବେ, ହାତରେ ରାଖୀ ବାନ୍ଧିବେ । ହେଲେ ରାଖୀ ତ’ ସରିଗଲା, କାଇଁ ସେମାନେ ତ ଆସିଲେ ନାହିଁ । କିଛି ବୁଝିପାରୁନଥିବା କୁନି ପୁଅ ମନେମନେ ଦିଦିମାନଙ୍କୁ ଖୋଜୁଛି । ହେଲେ ସିଏ ବା କେମିତି ଜାଣିବ, ଯେ ଦିଦିମାନେ ଯେଉଁ ରାଇଜକୁ ଯାଇଛନ୍ତି ସେଠୁ ଫେରିବାର ବାଟ ହିଁ ନାହିଁ । ଏପଟେ ଦୁଇ ନାବାଳିକା ଝିଅଙ୍କୁ ହରାଇ ଧୈର୍ଯ୍ୟହରା ବାପା-ମାଆ ।

Advertisment

ଝିଅମାନଙ୍କ ସ୍କୁଲ ବ୍ୟାଗ୍‌, ପଢ଼ା ବହି, ସାଇକେଲ୍‌ ସବୁ ସେମିତି ଘର ଅଗଣାରେ ପଡ଼ିଛି । ତାକୁ ଦେଖି ମା’ ଆଖିରୁ ଲୁହ ଶୁଖୁନି । ଘରେ କାନ୍ଦବୋବାଳି । ବାଲେଶ୍ୱର ଜଳେଶ୍ୱର ଥାନା ଅନ୍ତର୍ଗତ ଚକହରି ଗାଁର କାହ୍ନୁ ଦାସଙ୍କ ଦୁଇ ଝିଅ ନନ୍ଦିତା ଓ ନନ୍ଦିନୀ ସୁବର୍ଣ୍ଣରେଖାରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଗହ୍ମାପୂର୍ଣ୍ଣିମା ଦିନ ବାଲୁକେଶ୍ୱର ମହାଦେବଙ୍କୁ ଜଳାଭିଷେକ ପାଇଁ ପାଣି ଉଠାଇବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ୫ ଦିନ ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଝିଅମାନଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ଚକହରି ଗାଁ ।