କନକ ବ୍ୟୁରୋ: ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍‌ । ମାତ୍ର ଯେଉଁଠୁ ପ୍ରଥମ ସ୍ବଦେଶୀ ଚିପ୍‌ ନିର୍ମାଣ କରାଗଲା, ତାକୁ ଅଣଦେଖା । ଖୋର୍ଦ୍ଧାରେ ୨ଟି ସେମିକଣ୍ଡକ୍ଟର ଶିଳ୍ପ ହେବାକୁ ଯାଉଥିବା ବେଳେ ଗଂଜାମ ମୁହଁକୁ କାହିଁକି ଚାହିଲେନି ସରକାର, ତାକୁ ନେଇ ଉଠିଛି ପ୍ରଶ୍ନ। 

Advertisment

ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ସେମିକନ୍‌ ଉତ୍ସବରେ ଓଡ଼ିଶା ପ୍ରସ୍ତୁତ ସେମିକଣ୍ଡକ୍ଟର ଚିପ୍‌ ଉନ୍ମୋଚିତ ହୋଇଥିଲା । ଗଞ୍ଜାମର ପାରଳା ମହାରାଜା ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀ ତିଆରି କରିଥିବା ଚିପକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଶା କରାଯାଉଥିଲା ଗଂଜାମରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ହେଲେ ଗବେଷଣା ଓ ଶିଳ୍ପ ସମାନ୍ତରାଳ ଭାବେ ଚାଲିପାରିବ । ଗଞ୍ଜାମ ଏଥିପାଇଁ ଉତ୍କୃଷ୍ଟ ସ୍ଥାନ ପାଲଟିଥାନ୍ତା। ହେଲେ ସରକାରଙ୍କ ପ୍ରଥମ ପସନ୍ଦ ପାଲଟିଲା ଭୁବନେଶ୍ବର। ଯେଉଁ ମାଟିରୁ ଦେଶକୁ ପ୍ରଥମ ସ୍ବଦେଶୀ ଚିପ୍‌ ମିଳିଲା, ତାକୁ ଅଣଦେଖା ନେଇ ଆସିଛି ଅଭିଯୋଗ।

ଦେଶକୁ ମିଳିଲା ଓଡ଼ିଶା ତିଆରି ସେମିକଣ୍ଡକ୍ଟର ଚିପ୍, ପ୍ରଧାନମନ୍ତ୍ରୀଙ୍କ ହାତରେ ଦେଲେ ଅଶ୍ୱିନୀ ବୈଷ୍ଣବ

 ଏପଟେ ଗଂଜାମ ଦାବିକୁ ଏଡ଼ାଇ ଯାଇଛନ୍ତି ରାଜ୍ୟର ୨ ବରିଷ୍ଠ ମନ୍ତ୍ରୀ। ଉତ୍ତର ନଥିଲା ଭଳି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ  ଭୁବନେଶ୍ବରରେ ଶିଳ୍ପ ହେଉଛି । ପରବର୍ତ୍ତୀ ସମୟରେ ଗଂଜାମ ଭାଗରେ ପଡ଼ିପାରେ ସେମିକଣ୍ଡକ୍ଟର ଶିଳ୍ପ । 

 ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ୪ ହଜାର କୋଟିରୁ ଅଧିକ ଅର୍ଥ ମଂଜୁର କରିଛନ୍ତି କେନ୍ଦ୍ର ସରକାର। ଗତ ନଭେମ୍ବରରେ ଭୁବନେଶ୍ବର ଇନଫୋଭ୍ୟାଲିରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ତେବେ ଗଞ୍ଜାମ ମାଟିକୁ କେବେ ସେମିକଣ୍ଡକ୍ଟର ଶିଳ୍ପ ଫେରୁଛି, ତାକୁ ଅପେକ୍ଷା।