କନକ ବ୍ୟୁରୋ: କଷ୍ଟ ଏତେ ପ୍ରବଳ ଯେ, ଆଖିର ଲୁହ ବୋଲ ମାନୁନି, କହିବାକୁ ବି ପାଟି ଖୋଲୁନି । ଘରକୁ ଦାନା ପାଣି ଦେଉଥିବା ବାପା ଘର ଛାଡି କୁଆଡ଼େ ଚାଲିଯିବା ପରେ ଏ ହେଉଛି ଅସହାୟ ଝିଅର କୋହ …
କେନ୍ଦ୍ରାପଡ଼ା ରାଜକନିକା ଆଳି ବ୍ଲକ୍ କୁମାରଟଙ୍କା ଗାଁର ଶରତ ନାୟକ । ଗାଁ ଗାଁ ବୁଲି ପୂଜା ସାମଗ୍ରୀ ବିକ୍ରି କରନ୍ତି । ହାଟପାଳିରେ ହାଟରେ ବସନ୍ତି ।ସେଥିରୁ ଯାହା ଦି ପଇସା ମିଳେ ସେଥିରେ ପରିବାର ଚଳାଉଥିଲେ । ଅଭାବ ଅସୁବିଧା ଭିତରେ ପରିବାର ଚାଳୁଥିଲା। ପେଟ ପାଟି ମାରି ଦୁଇ ଝିଅଙ୍କୁ ପାଠ ପଢ଼ାଉଥିଲେ । ସ୍ବପ୍ନ ଦେଖୁଥିଲେ ଦୁଇ ଝିଅ ପାଠପଢ଼ି ନିଜ ଗୋଡ଼ରେ ଛିଡ଼ାହେବେ । କିନ୍ତୁ ଏ ସ୍ବପ୍ନ କୁଆଡ଼େ ମିଳେଇଗଲା । ବର୍ଷେ ତଳେ ବେପାର କରିବାକୁ ଘରୁ ଗୋଡ଼ କାଢ଼ିଥିବା ଶରତ କେଉଁଆଡ଼େ ଗଲେ ଯେ ଗଲେ ଆଉ ଫେରିଲେନି। ସେବେଠୁ ଏ ଦୁଇ ଝିଅ , ପତ୍ନୀ ଅନୁପମାଙ୍କ ଆଖି ଶୁଖୁନି ।
ଦୁଇ ଝିଅ ଶ୍ରଦ୍ଧାଞ୍ଜଳି ଓ ଶ୍ରାବଣୀ ଭାରୀ ମେଧାବୀ । ବଡ଼ ଝିଅ ଭୁବନେଶ୍ବରରେ ରହି ବିଟେକ୍ କରୁଥିବାବେଳେ ଏବେ କିନ୍ତୁ ପାଠପଢ଼ା ବନ୍ଦ । ଫାଷ୍ଟ ଇଅର ଅତି କଷ୍ଟେମଷ୍ଟେ ଶେଷ କଲେ ସିନା ଏବେ କିନ୍ତୁ ଫିସ୍ ଭରିବାକୁ ପଇସା ନାହିଁ। ତେଣୁ ଆଉ କଲେଜ ଯାଇପାରୁନାହାନ୍ତି । ସାନ ଝିଅ ଆଳି କଲେଜରେ ନାଁ ଲେଖାଇଛନ୍ତି କିନ୍ତୁ ବହି ଖଣ୍ଡେ କିଣିବାକୁ ସାହାସ ନାହିଁ ।
ସ୍ବାମୀ ଚାଲିଗଲା ପରେ ପତ୍ନୀ ଅନୁପମାଙ୍କ ଉପରେ ସବୁ ବୋଝ । ବଖୁରିଏ ଘର । ତାକୁ ବି ଚାହିଁହେଉନି । ଚାଳ କଣା ହୋଇଗଲାଣି । କାନ୍ଥ ଫାଟି ଆଁ କରିଛି । ବର୍ଷା ପବନରେ କେତେବେଳେ ଗଳିପଡ଼ିବ ଠିକଣା ନାହିଁ । ଭଙ୍ଗା କବାଟ ଦେଇହେଉନି ଯେ ଘର ଭିତରେ ବି ଡର ମାଡ଼ୁଛି । ସାପ ବେଙ୍ଗ ଡରରେ ରାତିରେ ଆଖିପତା ପଡ଼ୁନି । ଗାଈଗୋରୁ ବି ପଶିଆସୁଛନ୍ତି । ରୋଜଗାର ବୋଲି କିଛି ନାହିଁ । ରାସନ କାଡରେ ଚାଉଳ ଦିଟା ଛଡ଼ା ଆଉ କିଛି ସରକାରୀ ଯୋଜନା । ବାଡ଼ିରୁ ଯାହା ପରିବା କିଛି ବାହାରେ ତାକୁ ସାହିପଡ଼ିସାରେ ବିକି ତେଲ , ଲୁଣ ଟିକେ କିଣନ୍ତି । ଓଳିଏ ଖାଇଲେ ଆର ଓଳି ଉପାସ । ଏପରି ସ୍ଥିତିରେ ପିଲା ଦିଟାଙ୍କୁ ପାଠ ପଢ଼ାଇବାକୁ ସାହାସ ପାଉନି ।
ପଇସାଟେ ନାହିଁ ବୋଲି ଦୁଇ ଦୁଇ ଜଣ ମେଧାବୀ ଝିଅ ପଢ଼ିପାରୁନାହାନ୍ତି । ଭୋକ ଉପାସରେ କଟୁଛି ଦିନ । ଏ ଦୁଃଖ ଦେଖି ପଡ଼ିଶାଙ୍କ ଆଖି ଭିଜି ଯାଉଛି । ହେଲେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଆଖି ପଡ଼ୁନି କେମିତି? ଏନେଇ ବିଡ଼ିଓଙ୍କୁ କହିବାରୁ ସେ ଇନସ୍ପେକ୍ସନ ପରେ ଘର ଯୋଗାଇଦେବାକୁ କହିବା ସହ ଆବଶ୍ୟକ ସାହାଯ୍ୟ କରିବାକୁ କହିଛନ୍ତି । ହେଲେ ଆଉ କେତେ ଅପେକ୍ଷା? ୱାର୍ଡମେମ୍ବର , ସରପଞ୍ଚ, ବିଧାୟକ ସବୁ ଗଲେ କୁଆଡେ?
ଏହାପରେ ବି ଆପଣଙ୍କ କିଛି କିଛି ସାହାଯ୍ୟ ଏଇ ଦୁଇ ଝିଅଙ୍କ ଜୀବନ ସଜାଡିଦେଇପାରେ , ଏ ଅସହାୟ ପରିବାର ଦୁଃଖ ଲାଘବ କରିପାରେ..
ଶ୍ରଦ୍ଧାଞ୍ଜଳି ଓ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଥିଲେ ଠିକଣା:
ଶ୍ରଦ୍ଧାଞ୍ଜଳି ନାୟକ
ଗ୍ରାମ : କୁମ୍ଭାରଟଙ୍କା (କେନ୍ଦ୍ରାପଡ଼ା)
SBI, AC-No- 38411238266
IFSC : SBIN0012060
Mob-No -9178167437