କନକ ବ୍ୟୁରୋ : ୨ ଟଙ୍କିଆ ଡାକ୍ତର ନାମରେ ବେଶ୍ ପରିଚିତ ଚିକିତ୍ସକ କେରଳର ଏ.କେ ରାୟରୁ ଗୋପାଳଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର । ବୟସ ଜନିତ ରୋଗ କାରଣରୁ ତାଙ୍କ ପରଲୋକ ହୋଇଥିବାର ସୂଚନା ମିଳୁଛି । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ପରିବାର କହିଲେ ତାଙ୍କର ଧର୍ମପତ୍ନୀ , ଗୋଟିଏ ପୁଅ ଏବଂ ଝିଅ ରହିଛନ୍ତି । କନ୍ନୁର ସ୍ଥିତ ନିଜ ବାସଭବନରେ ଗୋଟିଏ ଛୋଟ କ୍ଲିନିକ୍ ଚଳାଇ ଡାକ୍ତର ଜଣକ ପାଞ୍ଚ ଦଶନ୍ଧୀ ଧରି ଗରିବ ଲୋକଙ୍କୁ ମାତ୍ର ୨ ଟଙ୍କାରେ ସେବା ଯୋଗାଇ ଆସୁଥିଲେ । ପ୍ରତିଦିନ ଭୋର ୪ ଟାରୁ ସଂନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ସେ ରୋଗୀଙ୍କ ଚିକିତ୍ସା କରୁଥିଲେ । ତାଙ୍କ ପାଖକୁ ପିଲାଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ପ୍ରତିଟି ବର୍ଗର ରୋଗୀ ଚିକିତ୍ସା ହେବାକୁ ଆସୁଥିଲେ ଏବଂ ଚିକିତ୍ସା ପାଇଁ ସେ ମାତ୍ର ୨ ଟଙ୍କା ଫିସ୍ ନେଉଥିଲେ । ଡାକ୍ତରଙ୍କ ଏହି ଫିସ୍ କୁ ନେଇ ତାଙ୍କୁ ୨ ଟଙ୍କିଆ ଡାକ୍ତର ବୋଲି ଲୋକ କହୁଥିଲେ । ସମସ୍ତଙ୍କ ମଧ୍ୟରେ ସେ ‘ଜନତାଙ୍କ ଡାକ୍ତର’ ଏବଂ ‘୨ ଟଙ୍କିଆ ଡାକ୍ତର’ ନାମରେ ପ୍ରସିଦ୍ଧ ଥିଲେ । 

Advertisment
2 pupee
2 pupee Photograph: (google)

ବର୍ଦ୍ଧିତ ବୟସ ଏବଂ ରୋଗକୁ ଦେଖି ସେ କ୍ଲିନିକ୍ ସମୟ ସକାଳ ୬ ରୁ ଆରମ୍ଭ କରି ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରଖିଥିଲେ । ମାନବିକତାର ପରିଚୟ ସୃଷ୍ଟି କରିଥିବା ଏହି ଡାକ୍ତର ଜଣକ ଖାଲି ଚିକିତ୍ସା କରୁନଥିଲେ ଯେଉଁ ରୋଗୀଙ୍କ ପାଖରେ ଚିକିତ୍ସା କରାଇବାକୁ ଟଙ୍କା ନଥିଲା ସେ ସେମାନଙ୍କୁ ଟଙ୍କା ବି ଦେଉଥିଲେ ଏବଂ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଉଥିଲେ । ୨୦୨୪ ମେ ମାସରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ସେ କ୍ଲିନିକ୍ ବନ୍ଦ କରି ଦେଇଥିଲେ , ଯାହାଦ୍ବାରା ଆଖପାଖରେ ଥିବା ଗରିବ ଶ୍ରେଣୀର ରୋଗୀଙ୍କୁ ଗଭୀର ଝଟକା ଲାଗିଥିଲା । ତେବେ ୨ ଟଙ୍କିଆ ଡାକ୍ତରଙ୍କ ଦେହାନ୍ତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମଧ୍ୟ ଶୋକପ୍ରକାଶ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।