କନକ ବ୍ୟୁରୋ: ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ । ପୁଲିସ ଗୁଳିରେ ୨ ଲୁଟେରା ଗୁରୁତର ହୋଇଛନ୍ତି । ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ବଡ଼କଥା ହେଉଛି ଏହି ଲୁଟେରା, ରାଜଧାନୀରେ ଅନେକ ଲୁଟପାଟ ଘଟାଇଥିଲେ । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ଧରି ଯୋଜନା କରୁଥିଲା କମିଶନରେଟ୍ ପୁଲିସ । ତେବେ ଗୁରୁବାର ଗୁଇନ୍ଦା ସୂଚନା ଆଧାରରେ ଉଭୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ । ଗିରଫ କରିବାକୁ ଗଲା ବେଳେ ପାଲଟା ଗୁଳିଚାଳନା କରିଥିଲେ ଲୁଟେରା । ଜବାବରେ ଗୁଳି ଚଲାଇଥିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ । ବଡ଼ଗଡ଼ଠାରେ ଏହି ଏନକାଉଣ୍ଟର କରାଯାଇଥିଲା । ଏନକାଉଣ୍ଟରେ ଗୁରୁତର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୋନୁ ଯାଦବ ଓ ମନିଷ ଯାଦବ । ଉଭୟଙ୍କ ଘର ବିହାରରେ ବୋଲି ସୂଚନା ଦେଇଛି ପୁଲିସ । ବର୍ତ୍ତମାନ ସେମାନଙ୍କୁ କଟକ ଏସସିବି ପଠାଯାଇଛି ।
ତେବେ ଗତ କିଛିଦିନ ଧରି ରାଜଧାନୀରେ ହୋଇଥିବା ଲୁଟ୍ ପରେ ଆକ୍ସନକୁ ଆସିଛି କମିଶନରେଟ୍ ପୁଲିସ । ଅଭିଯୁକ୍ତକୁ ଦେଖିବା ମାତ୍ରକେ ଗୁଳି କରୁଛି ପୁଲିସ । ଗୁରୁବାର ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର ପରେ ଅପରାଧୀଙ୍କୁ ସତର୍କ କରାଇ ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ପୁଷ୍ପା ଫିଲ୍ମର ଲୋକପ୍ରିୟ ଡାଇଲଗ ଜରିଆରେ ଅପରାଧିଙ୍କୁ ନାଲିଆଖି ଦେଖାଇଛନ୍ତି । ‘କମିଶନରେଟ ପୁଲିସକୁ ଫ୍ଲାୱାର ସମଝେ କ୍ୟା’ ଡାଇଲଗ ମାରି ଚେତେଇ ଦେଇଛନ୍ତି । ଏବେ ନସୁଧୁରିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ।