କନକ ବ୍ୟୁରୋ: ଏକ ଦେଶ, ଏକ ନିର୍ବାଚନ ବିଲ୍ ଏବେ ଜେପିସିକୁ ପଠାଯାଇଛି। ଏହି କମିଟି ବିଲ୍ ଉପରେ ତମାମ ଆଲୋଚନା କରିବା ପରେ, ଏହାର ଏକ ରିପୋର୍ଟ ସରକାରକୁ ପ୍ରଦାନ କରିବ। ତେବେ ଏହି କମିଟିରେ କିଏ କିଏ ସଦସ୍ୟ ରହିବେ, ସେନେଇ ଆସିଛି ବଡ଼ ଅପଡେଟ୍ । ମିଳିଥିବା ସୂଚନା ମୁତାବକ, ୩୧ ଜଣିଆ ଏହି କମିଟିରେ ଓଡ଼ିଶାରୁ ଦୁଇ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବଂ ସମ୍ବିତ ପାତ୍ର ସ୍ଥାନ ପାଇଛନ୍ତି ।

Advertisment

୩୧ ଜଣିଆ ଏହି କମିଟିରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ରାଜ୍ୟସଭାର ୧୦ ଜଣ ସାଂସଦ ରହିଛନ୍ତି । ଏହାସହ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ମଧ୍ୟ ଜେପିସିରେ ସ୍ଥାନ ପାଇଛନ୍ତି ।

ଜାଣିରଖିବା ଉଚିତ୍ ଯେ, ଲୋକସଭାରେ ଆଗତ ହେବା ପରେ, ଏବେ ଏହାକୁ ଜେପିସିକୁ ପଠାଯାଇଛି । ଜେପିସି ଏ ଦିଗରେ ଆଲୋଚନା କରିବା ପରେ, ୯୦ ଦିନ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବ । ତେବେ ଦେଶରେ ଏକା ସାଙ୍ଗରେ ବିଧାନସଭା ସହିତ ଲୋକସଭା ନିର୍ବାଚନ କରିବାକୁ ଅଣ୍ଟା ଭିଡିଛନ୍ତି ମୋଦୀ ସରକାର । ଆଉ ଏଥିପାଇଁ ଏହି ବିଲ୍ ଅଣାଯାଇଛି । 

୩୧ ସଦସ୍ୟ ବିଶିଷ୍ଟ ଜେପିସିରେ ଅଧ୍ୟକ୍ଷତା କରିବେ ବିଜେପି ସାଂସଦ ପି.ପି ଚୌଧୁରୀ। ତେବେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଲୋକସଭାରେ ଆଗତ ହେବା ପରେ ଏହାକୁ ଜେପିସିକୁ ପଠାଯାଇଛି। ମଙ୍ଗଳବାର ଆଇନ୍ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଲୋକସଭାରେ ବିଲ ଆଗତ କରିଥିଲେ। ପ୍ରଥମେ ବାଚନିକ ଭୋଟ୍‌ ଓ ପରେ ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଥିଲେ ସଦସ୍ୟ। ବିଲ୍ ସପକ୍ଷରେ ୨୨୦ ଓ ବିପକ୍ଷରେ ୧୪୯ ଭୋଟ ପଡ଼ିଲା। ଏଥିରେ କିଛି ସଦସ୍ୟ ଆପତ୍ତି କରିବାରୁ ପୁଣି ଚିଟ୍‌ ମାଧ୍ୟମରେ ଭୋଟିଂ ହୋଇଥିଲା। ଏଥିରେ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଥିଲା। ଏବେ ଜେପିସିରେ ଏକକ ନିର୍ବାଚନ ବିଲ୍ ଉପରେ ବିସ୍ତୃତ ଆଲୋଚନା ହେବ।