କନକ ବ୍ୟୁରୋ: ଚୌଦ୍ୱାର ଜେଲ୍‌ରୁ ୨ଡକାୟତ ଚମ୍ପଟ ହେବା ଘଟଣା । କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି । ଜେଲରୁ କଏଦୀ ଫେରାର ହେବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପାଚେରୀ ଚଢ଼ି କଏଦୀ ଫେରାର ହୋଇଛନ୍ତି । ଜେଲ୍‌ ପାଚେରୀରେ ଝୁଲିଥିବା କମ୍ବଳକୁ ଯୋଡ଼ି ତିଆରି କରିଥିବା ଦଉଡ଼ି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି ଦୁଇ କଏଦୀ । ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲ୍‌ରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ସେଲ୍‌ର ଦାୟିତ୍ବରେ ଥିବା ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି । 

Advertisment

ଫିଲ୍ମ ଷ୍ଟାଇଲରେ ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିଲେ କଏଦୀ । କନକ ନ୍ୟୁଜ ହାତରେ ଲାଗିଥିଲା ଏହି ଘଟଣାର ଏକ୍ସକ୍ଲୁସିଭ ଭିଡିଓ। ଚୌଦ୍ୱାର ଜେଲରୁ ଖସିଥିବା କଏଦୀଙ୍କ କାରନାମା ପରର ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । କମ୍ବଳକୁ କମ୍ବଳରେ ବାନ୍ଧି ତିଆରି କରିଥିଲେ ଲମ୍ବା ଦୌଡ଼ି । ଫିଲ୍ମର କୌଣସି ଦୃଶ୍ୟ ଭଳି ଜେଲ ପାଚେରୀ ଆରପଟକୁ କମ୍ବଳ ଓ ବେଡ୍‌ସିଟ ପକାଇଥିଲେ I ମୋବାଇଲରେ କଏଦ ହୋଇଥିଲା କଏଦୀ ଫେରାର ହେବା ପରର ଦୃଶ୍ୟ । ଜେଲ ପାଚେରୀରେ ଝୁଲି ରହିଥିଲା ସେହି ବେଡ୍‌ସିଟରୁ ବନ୍ଧା ଦଉଡ଼ି । ଜେଲରୁ ୨ଜଣ କଏଦୀ ଫେରାର ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।