କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାରୁ ଗଡ଼ିଛି ଆଉ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡ଼ଖଣ୍ଡର ଟାଟାରୁ ଭିଡିଓ କନ୍‌ଫରେନ୍ସରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁରରୁ ଟାଟାନଗର ଓ ରାଉରକେଲାରୁ ହାୱଡା ମଧ୍ୟରେ ଆରମ୍ଭ ହୋଇ ଏହି ସେବା । 
 
ଦୀର୍ଘଦିନ ଧରି ଟାଟାନଗର-ବ୍ରହ୍ମପୁର ରୁଟରେ ବନ୍ଦେ ଭାରତ ଚଳାଇବା ପାଇଁ ଦାବି ହେଉଥିଲା । ଆଉ ସେହି ସ୍ବପ୍ନ ପୂରଣ ହୋଇଛି । ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ୍, ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ନୟାଗଡ଼ ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ । ସେହିପରି ରାଉରକେଲା-ହାୱାଡା ଟ୍ରେନ୍ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ରହିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ଦେ ଭାରତ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତ୍ରା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ଦିଗକୁ ଯୋଡ଼ିହେବ ରେଳ । ସବୁ ଜିଲ୍ଲା ସହିତ ସବୁ ଡିଭିଜନକୁ ରେଳ ସଂଯୋଗ କରାଯିବ । ଦେବଗଡ଼, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲାକୁ ଚାଲିବ ଟ୍ରେନ୍ ।
 
ଓଡ଼ିଶାରୁ ଦୁଇଟି ବନ୍ଦେ ଭାରତ ଗଡ଼ିଥିବାବେଳେ ଅନ୍ୟ ୪ଟି ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି । ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ ଏବେ ୨ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହି ସଂଖ୍ୟା ୫କୁ ବୃଦ୍ଧି ପାଇଛି ।