କନକ ବ୍ୟୁରୋ: ପୁଣି ଆସୁଛି ଯୋଡ଼ା ଲଘୁଚାପ । ୫ଦିନ ଯାଏ ରାଜ୍ୟରେ ଅତି ପ୍ରବଳ ବର୍ଷା । ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ଏକ ସମୟରେ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ସକାଳ ୮ଟା ୩୦ ଯାଏଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ସମ୍ଭାବନା ରହିଛି । ଏହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
୧୧ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ଓ ହୋଇପାରେ । ସେହିପରି ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସମ୍ଭାବନା ଯୋଗୁଁ ପ୍ରବଳ ବର୍ଷା ପରେ ତଳିଆ ଅଞ୍ଚଳରେ ବନ୍ୟାସ୍ଥିତି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି । ସେହିପରି ଜୁଲାଇ ୧ ତାରିଖ ଯାଏ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।