କନକ ବ୍ୟୁରୋ: ୱାକଫ୍‌ ବିଲ୍‌କୁ ସମର୍ଥନ ନେଇ ବିହାର ରାଜନୀତିରେ ବଡ ହଳଚଲ ଦେଖାଦେଇଛି । ବିଲ୍‌କୁ ଦଳର ସମର୍ଥନ ପ୍ରତିବାଦରେ ଜେଡିୟୁ ୪ଜଣ ମୁସଲିମ ଚେହେରାଙ୍କ ଇସ୍ତଫା ଦେଇଛନ୍ତି । ସେହିଭଳି ମୁସଲମାନଙ୍କ ସହ ବିଶ୍ୱାସଘାତକତା ହୋଇଥିବା ଅଭିଯୋଗ କରି ବିହାର ମୁଖ୍ୟମନ୍ତ୍ରୀ ଆରଜେଡି ଚିଟିଙ୍ଗ କୁମାର ବୋଲି କହିଛି । 

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆର୍‌ଏସ୍‌ଏସ୍‌ ବେଶ । ଆରଏସ୍‌ଏସ୍‌ର ଖାକି ହାଫ୍‌ ପ୍ୟାଣ୍ଟ, ଧଳା ସାର୍ଟ ଓ କଳା ଟୋପିରେ ଦେଖିବାକୁ ମିଳିଥିଲା ।  ଏଭଳି ଏକ ଚିତ୍ରକୁ  ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଆଜି ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଫଟୋସପ୍‌ ଦ୍ବାରା ଏଡିଟ୍‌ କରି ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ବର୍ଣ୍ଣନା କରୁଛି ବୋଲି ଆରଜେଡି ମତ ଦେଇଛି । ମୁସଲମାନ ଭୋଟ୍‌ ବ୍ୟାଙ୍କ ଉପରେ ନିଜର ବିରୋଧୀ ଦଳ ଜେଡିୟୁକୁ ସମାଲୋଚନା ପାଇଁ ଆରଜେଡିକୁ ଏହାଠାରୁ ଭଳି ଭଲ ସୁଯୋଗ ନମିଳିପାରେ ।  

ଉଭୟ ଲୋକସଭା ଓ ରାଜ୍ୟସଭାରେ ଜେଡିୟୁ କେନ୍ଦ୍ର ସରକାରଙ୍କ ଦ୍ବାରା ୱାକଫ ସଂଶୋଧନ ବିଲ୍‌କୁ ସମର୍ଥନ କରିଛି । ୱାକଫ ବିଲ୍‌ ଗୃହିତ ପାଇଁ ଲୋକସଭାରେ ସଂଖ୍ୟା ଗରିଷ୍ଠତା ନଥିବା ବିଜେପି ପାଇଁ ଜେଡିୟୁ ୧୨ଜଣ ସଭ୍ୟଙ୍କ ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଗତ କିଛି ଦିନ ହେଲା ବିଭିନ୍ନ କାରଣ ନେଇ ବିଜେପି ତୁଙ୍ଗ ନେତୃବୃନ୍ଦଙ୍କ ସହ ନୀତୀଶ କୁମାର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ମାତ୍ର କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ବିହାରରେ ଆଗାମୀ ନିର୍ବାଚନ ଏନଡିଏ ନୀତୀଶଙ୍କ ନେତୃତ୍ବରେ ଲଢ଼ିବ ବୋଲି ବୟାନ ସ୍ଥିତି ବଦଳାଇବାକୁ ସାହାଯ୍ୟ କରିଛି ।

ଏବର୍ଷ ଶେଷ ସୁଦ୍ଧା ବିହାରରରେ ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନରେ ମୁସଲିମ ଭୋଟ ବହୁମାତ୍ରାରେ ହାରଜିତ ନିର୍ଣ୍ଣୟ କରିଥାଏ । ଏପରି ସ୍ଥିତିରେ ଗତ କିଛି ବର୍ଷ ହେଲା ବିଜେପି ସହ ମେଣ୍ଟ ଥିଲେ ମଧ୍ୟ ନୀତିଶ କୁମାରଙ୍କ ସେକ୍ୟୁଲାର ବ୍ୟକ୍ତିତ୍ବ ଯୋଗୁଁ ମୁସଲମାନ ଭୋଟ ପାଇବାରେ ସଫଳ ହେଉଥିଲା । ମାତ୍ର ୱାକଫ୍‌ ବିଲ୍‌କୁ ସମର୍ଥନ ଫଳରେ ଜେଡିୟୁ ଏହି ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା ରହିଛି ।  ଯାହାର ପ୍ରତିଫଳନ ଜେଡିୟୁର ୪ଜଣ ମୁସଲିମ ନେତାଙ୍କ ଇସ୍ତଫା ଦର୍ଶାଉଛି ।  ଆଉ ଏଥିରୁ ଫାଇଦା ଉଠାଇବାକୁ ସତେ ଯେପରି ଆରଜେଡି ଚାହିଁ ବସିଛି ।