କନକ ବ୍ୟୁରୋ :ଚର୍ଚ୍ଚାରେ ରାଜନେତାଙ୍କ ପ୍ରେମ ବିବାହ । କିଛି ଦିନ ତଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ହାତକୁ ଦି’ ହାତ ହୋଇଥିଲେ । ଆଜି ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ତାଙ୍କର ସାଂସାରିକ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରୁଛନ୍ତି । ଆସନ୍ତାକାଲି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କର ଗୋଆରେ ବାଜିବ ସେହନାଇ । ସବୁଠୁ ବଡ଼ କଥା ହେଲା, ଉଭୟ ଅନୁଭବ ଓ ପ୍ରଦୀପ ମାଝୀଙ୍କର ଜୀବନସାଥୀ ହେଉଛନ୍ତି ସାମ୍ବାଦିକା । 

Advertisment

ଅଭିନେତ୍ରୀ ବର୍ଷାଙ୍କ ସହ ଛାଡ଼ପତ୍ର ପରେ ଆଜି ଦ୍ବିତୀୟ ବିବାହ କରୁଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ହାତ ଧରୁଛନ୍ତି ଅନୁଭବ। ଦିଲ୍ଲୀରେ ଏହି ହାଇପ୍ରୋଫାଇଲ୍ ବାହାଘର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ହେଉଛି । ଉଭୟ ପକ୍ଷଙ୍କ ପରିବାର ଓ କିଛି ଖାସ୍ ଅତିଥିଙ୍କୁ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି । ଭିଣ୍ଟେଜ କାରରେ ବର ବେଶରେ ଆସିଛନ୍ତି ଅନୁଭବ । ବିବାହ ପରେ ଦୁହେଁ ରିସେପସନ କାର୍ୟ୍ୟକ୍ରମରେ ଯୋଗଦେଇ ଅତିଥିଙ୍କ ଆଶୀର୍ବାଦ ନେବେ । ଓଡିଶାରୁ କଳାକାରମାନେ ଯାଇ ସଂଗୀତ ପରିବେଷଣ କରିଛନ୍ତି। ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ କଟକରୁ ଯାଇଛନ୍ତି ରୋଷେୟା । ଭୋଜିରେ ୭୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । 

ଆସନ୍ତାକାଲି ହାତକୁ ଦି’ହାତ ହେବେ ଆଉ ଜଣେ ରାଜନେତା । ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କର ତିନିବର୍ଷର ପ୍ରେମରେ ପଡିବ ପୂର୍ଣ୍ଣଛେଦ । ପ୍ରଦୀପ ମଧ୍ୟ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ଆରମ୍ଭ କରିବେ ଜୀବନର ଦ୍ବିତୀୟ ଇନିଂସ । ଜିମ୍‌ରୁ ଜୀବନସାଥୀ,ଓଡ଼ିଶାରେ ପ୍ରେମ, ଗୋଆରେ ବିବାହ । ଘରୋଇ ଓଡ଼ିଆ ଟିଭି ଚ୍ୟାନେଲରେ ସାମ୍ବାଦିକା ଥିବା ସୁଶ୍ରୀ ସଙ୍ଗୀତା ଓ ପ୍ରଦୀପ ମାଝୀ ଭୁବନେଶ୍ବରରେ ଏକାଠି ଜିମ୍ ଯିବାବେଳେ ହୋଇଥିଲା ପ୍ରେମ । ଆସନ୍ତାକାଲି ଗୋଆରେ ହେବାକୁ ଥିବା ବାହାଘର ପାଇଁ ଉଭୟ ପରିବାରର ସହମତି ରହିଛି । ୧୬ ତାରିଖରେ ପ୍ରଦୀପ ଓ ସୁଶ୍ରୀ ସଙ୍ଗୀତା ଭୁବନେଶ୍ବର ଫେରିବେ ଏବଂ ତାପରେ ନବରଙ୍ଗପୁର ଫେରିଯିବେ । 

ଉଭୟ ଅନୁଭବ ମହାନ୍ତି ଓ ପ୍ରଦୀପ ମାଝୀ, ସାମ୍ବାଦିକାଙ୍କୁ ବିବାହ କରୁଛନ୍ତି । ରାଜନେତା ଓ ସାମ୍ବାଦିକାଙ୍କ ମଧ୍ୟରେ ପ୍ରେମ ବିବାହକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।