କନକ ବ୍ୟୁରୋ : ସୋମବାର ରାଜଧାନୀ ଭୁବନେଶ୍ବରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ପୁରିଲାଣି । ଏଯାଏ ଅପରାଧିଙ୍କ ପାଖରେ ପହଁଞ୍ଚି ପାରିନି କମିସନରେଟ ପୁଲିସ୍ । ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କମିସନର କହିଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ୍ ହାତ ଖାଲି ରହିଛି । ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଏବଂ ଚୁନକୋଳି ବସ୍ତିରେ ୨୫ବର୍ଷୀୟ ଯୁବକଙ୍କୁ ପଥରରେ ମାରିଦେବା ଘଟଣାରେ କେବେ ଧରାହେବେ ଅଭିଯୁକ୍ତ, ତାକୁ ନେଇ ପ୍ରଶ୍ନବାଚୀ । 

Advertisment

ଦିନକୁ ଦିନ ରାଜଧାନୀରେ କ୍ରାଇମ ବଢ଼ିଚାଲିଥିବା ବେଳେ ପୁଲିସ୍ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ ପରେ ଅପରାଧ କରି ଚାଲିଛନ୍ତି ଅପରାଧି । ସରକନ୍ତରାର ଗାଁ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିଗତ ୧୦ବର୍ଷରେ ଏଠାରେ ୩ଟି ମୁଣ୍ଡ ଗଡ଼ିସାରିଲାଣି । ଗତକାଲି ସୁଧାଂଶୁଙ୍କୁ ଗୁଳିମାଡ଼ ହୋଇଥିବା ବେଳେ  ୨୦୧୪ର ସୋନୁ ହତ୍ୟାକାଣ୍ଡ, ୨୦୧୯ରେ ପପୁ ଜେନାକୁ ଗୁଳିକରି ହତ୍ୟା କରାଯାଇଥିଲା । ଭାଇଗିରି ଓ ନିଶା କବଳରେ ଯୁବପିଢ଼ି ପଡୁଥିବା ବେଳେ ଗାଁରେ ବେଆଇନ ବନ୍ଧୁକ କାରବାର ବଢ଼ିଚାଲିଛି । ଅପରାଧୀ ମାନଙ୍କୁ କିଏ ବେଆଇନ ଭାବେ ବନ୍ଧୁକ ଯୋଗାଉଛି, ପୁଲିସ୍ କଣ କରୁଛି ବୋଲି ପ୍ରଶ୍ନ ଉଠିଛି । କେବଳ ସରକନ୍ତରାର ନୁହେଁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଅପରାଧୀ ମାନେ ଖୁଲମଖୁଲା ଭାବେ ଅପରାଧ ଘଟାଇଚାଲିଥିବା ବେଳେ ପୁଲିସ କଣ କରୁଛି । କାହିଁକି ଅପରାଧି ଦମନରେ ଫେଲ୍ ମାରିଛି ପୁଲିସ୍ ତାକୁ ନେଇ ପ୍ରଶ୍ନ ଉଠିଛି ।