କନକ ବ୍ୟୁରୋ: ଆକ୍ସନ ମୋଡ଼ରେ ଅନୁଗୋଳ ପୋଲିସ । ଅପରାଧୀଙ୍କୁ ତ୍ରାହି ନାହିଁ। ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର କରୁଛି ଅନୁଗୋଳ ପୁଲିସ । ଅପରାଧ ଓ ଅପରାଧୀଙ୍କ ସ୍ଥାନ ନାହିଁ। ୩ ଦିନ ମଧ୍ୟରେ ଦୁଇ ଦୁଇଟି ଏନକାଉଣ୍ଟର ସାଙ୍ଗକୁ  ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ଅନୁଗୋଳ ପୁଲିସ । ଅପରାଧୀଙ୍କ ଉତ୍ପାତ ପରେ ଆକ୍ସନ ମୋଡରେ ଅନୁଗୁଳ ପୋଲିସ । ପୋଲିସକୁ ବାରମ୍ବାର ଚକମା ଦେଇ ଖସିଯାଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ୩ ଦିନରେ କରି ସାରିଲାଣି ଦୁଇ ଦୁଇଟି ଏନକାଉଣ୍ଟର। 

Advertisment

ନିଶା ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଓରଫ ଝାମୁ । ତା'ନାଁରେ ତାଳଚେର, ଅନୁଗୁଳ, ଢେଙ୍କାନାଳ ଥାନାରେ ମାଳମାଳ ଆପରାଧିକ ମାମଲା ରହିଛି । ବାରମ୍ବାର ପୁଲିସକୁ ଚକମା ଦେଇ ଖସିଯାଉଥିବା ଝାମୁକୁ ଧରିବାକୁ ଜାଲ ବିଛାଇଥିଲା ତାଳଚେର ପୁଲିସ । ସେ ତାଳବେଡ଼ା ଜଙ୍ଗଲରେ ଥିବା ଲୁଚିଥିବା ଜାଣି ଚଢ଼ାଉ କରିଥିଲା । ପୁଲିସକୁ ଦେଖି ୩ ରାଉଣ୍ଡ ଗୁଳି ଚଳାଇଥିଲା ଅପରାଧୀ । ପାଲଟା ଆକ୍ରମଣରେ ପୁଲିସ ତାକୁ ଏନ୍‌କାଉଣ୍ଟର କରିଛି । ଝାମୁର ସହଯୋଗୀ ପ୍ରଫୁଲ୍ଲ ନାୟକ ମଧ୍ୟ ଗିରଫ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ମାଉଜର୍‌, ୨ଟି ବାଇକ୍ ସହ ୫ଟି ଖୋକା ଜବତ କରିଛି ପୋଲିସ ।

କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ,ଘର ଛେଣ୍ଡିପଦା । ଅନୁଗୋଳ ସମେତ ଅନ୍ୟ ଜିଲ୍ଲାରେ ତା' ନାଁରେ ଡକାୟତି, ଲୁଟ୍, ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗରେ ୩୦ରୁ ଅଧିକ ଆପରାଧିକ ମାମଲା ରହିଛି । କୁକୁଡ଼ାଙ୍ଗ ରାସ୍ତା ଦେଇ ଅନୁଗୋଳ ଆସୁଥିବା ଖବର ପାଇ ରାସ୍ତାରେ ଛକି ବସିଥିଲେ ଅନୁଗୋଳ, ଛେଣ୍ଡିପଦା ପୁଲିସର ସ୍ବତନ୍ତ୍ର ଟିମ୍ । ପୂର୍ବ ଭଳି ଏଥର ମଧ୍ୟ ପୁଲିସକୁ ଚକ୍‌ମା ଦେବାକୁ ଗୁଳି ଚଳାଇଥିଲା କ୍ଷୀରୋଦ । ତେଣୁ ବାଧ୍ୟ ହୋଇ ତାକୁ ଏନ୍‌କାଉଂଟର କରିଛି ପୁଲିସ । ତା' ଡାହଣ ଗୋଡ଼ରେ ଗୁଳି ବାଜିଛି, ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ବାଇକ୍ ଜବତ କରିଛି ପୁଲିସ । 

ଅପରାଧୀଙ୍କୁ ଏନକାଉଣ୍ଟର କରିବା ସହ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନାକୁ ପଣ୍ଡ କରିଛି ଅନୁଗୋଳ ପୁଲିସ। ମୋଷ୍ଟ ୱାଣ୍ଟେଡ ପୁରୁଷୋତ୍ତମ ଭୂତିଆ ସମେତ ୩ ଜଣଙ୍କୁ ଗିରଫ କରିବା ସହ ବହୁ ମାରଣାସ୍ତ୍ର ଜବତ କରିଛି ଅନୁଗୁଳ ପୁଲିସ ।