କନକ ବ୍ୟୁରୋ : ପୋଖରୀରେ ବୁଡ଼ି ୧୮ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି । ଘଟଣାଟି ଘଟିଛି କୋଣାର୍କ ଥାନା କୁରୁଜଙ୍ଗ ପଞ୍ଚାୟତ ଭାଣ ଗାଁରେ । ମହିଳା ଜଣକ ଘରେ ରୋଷେଇ କରୁଥିବା ବେଳେ ଶିଶୁଟି ଚାଲି ଚାଲି ପୋଖରୀ ପାଖକୁ ଯାଇଥିଲା ଏବଂ ସେଠାରେ ପାଣିରେ ପଡ଼ି ଯାଇଥିଲା । ତେବେ ଶିଶୁ କନ୍ୟାକୁ ବହୁ ଖୋଜାଖୋଜି ପରେ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର କୁନି ଝିଅଟିକୁ ମୃତ ଘୋଷଣା କରିଥିଲେ ।
 
ଅନ୍ୟପଟେ ଘର ଠାରୁ କିଛି ଦୂରରେ ଖେଳୁଥିଲା ପୁଅ ହେଲେ ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲା ଆଉ ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡ଼ି ଜଣେ ୭ ବର୍ଷ ନାବାଳକର ଜୀବନ ଚାଲିଯାଇଛି । ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଶରତ ଥାନା ଧପଡା ଗାଁରେ ଦେଖିବାକୁ ମିଳିଛି । ଗାଁର ବିଭୀଷଣ ସେନାପତିଙ୍କ ୭ ବର୍ଷର ପୁଅ କୀର୍ତ୍ତିରାଜ ସେନାପତି ଘର ଠାରୁ ୪ ଶହ ମିଟର ଦୂରରେ ଥିବା ପୋଖରୀ ନିକଟରେ ସାଙ୍ଗମାନଙ୍କ ସହିତ ଖେଳୁଥିଲେ । ହେଲେ ଅଚାନକ ସେ ପୋଖରୀ ଭିତରେ ପଡ଼ି ଯାଇଥିଲେ ଏବଂ ସାଙ୍ଗମାନେ ଚିତ୍କାର କରିବାରୁ ଘର ଲୋକେ ପହଞ୍ଚି ପୋଖରୀରୁ କୀର୍ତ୍ତିରାଜକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ କୁନିପୁଅକୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Advertisment