କନକ ବ୍ୟୁରୋ: ହୃଦୟର ଭାଷା ପଢ଼ିଲେ, ସାତ ଜନ୍ମର ସାଥି ହେଲେ । ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ । ବରଗଡ଼ ଟାଉନ୍ ହଲରେ ପାୱାର ଅଫ ଦିବ୍ୟାଙ୍ଗଶ୍ ପକ୍ଷରୁ ଦୁଇ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ବିବାହ କରାଯାଇଛି । ବହୁ ଆଡ଼ମ୍ବରେ ନହେଲେ ମଧ୍ୟ ବାଜା ବଜାଇ,ବେକରେ ଫୁଲମାଳ ଦେଇ ଦୁଇ ଦମ୍ପତି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି। ଆଉ ଏ ବିବାହ ବରଗଡ଼ ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଛି।

ହୃଦୟ ବୁଝିଛି ହୃଦୟର ପରିଭାଷା। ପ୍ରଥମେ ପ୍ରେମ ଓ ପରେ ସାତ ଜନ୍ମର ସାଥି ହୋଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ବରଗଡ଼ର ଭଗବାନ ଓ ସସ୍ମିତା । ଜଣେ ଜନ୍ମରୁ ଭଲ ଭାବରେ ଦେଖି ପାରନ୍ତି ନାହିଁ ଆଉ ଜଣେ ଚାଲି ପାରନ୍ତି ନାହିଁ । ପରଷ୍ପର ମନର ଭାଷାକୁ ବୁଝି ସାତ ଜନ୍ମର ସାଥି ହୋଇଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବାଉଁଶ ବେର୍ଣ୍ଣା ଗାଁର ଭଗବାନ୍ ହରପାଲ ଘେସ୍ କୁଚିପାଲି ଗାଁର ସସ୍ମିତା ରଣାଙ୍କୁ ବିବାହ କରିଛନ୍ତି । ବରଗଡ଼ ଦିବ୍ୟାଙ୍ଗସ୍ ଟ୍ରଷ୍ଟ ପକ୍ଷରୁ ଏମାନଙ୍କ ବିବାହ ଆୟୋଜନ କରାଯାଇଥିଲା । ବହୁ ଆଡମ୍ବରରେ ନହେଲେ ମଧ୍ୟ ହିନ୍ଦୁ ରୀତି ନୀତି ଅନୁଯାୟୀ ବରଗଡ଼ ଟାଉନ୍ ହଲରେ ଭୋଜି ଭାତି ସହ ବିବାହ ସମ୍ପନ୍ନ ହୋଇଛି। ଦହେଁ ଦୁହିଁଙ୍କୁ ପାଇ ବେଶ ଖୁସି ପ୍ରକାଶ କରିଛନ୍ତି । 

ବିବାହ ସମାଜକୁ ଏକ ବାର୍ତା ଦେଇଛି । କାରଣ ବିନା ଯୌତୁକ ଓ ବାଜା ବାଣ ବ୍ୟତିତ ବରଣ ମାଳା ଦେଇ ସାତ ଜନ୍ମର ସାଥି ହୋଇଛନ୍ତି ଭଗବାନ ଓ ସସ୍ମିତା । ଏହି ବିବାହ ଉତ୍ସବରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଶହ ଶହ ଦିବ୍ୟାଙ୍ଗ ଯୁବକ ଯୁବତୀ ସାମିଲ୍ ହୋଇ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶିର୍ବାଦ ପ୍ରଦାନ କରିଛନ୍ତି । ଏଭଳି ଆଦର୍ଶ ବିବାହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ବିଧାୟକ । 

ପରସ୍ପରର ମନର କଥା ବୁଝିପାରି ସାତ ଜନ୍ମର ସାଥି ହୋଇଛନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି ।  ଆଉ ସମାଜ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।