କନକ ବ୍ୟୁରୋ : ଆଜିଠାରୁ ଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ବସିବ ଏହି ବୈଠକ । ସାରା ଦେଶର ନଜର ଏହି ବୈଠକ ଉପରେ ରହିଛି । ସମାପ୍ତ ହୋଇପାରେ ଜିଏସଟିର ୧୨ ଓ ୨୮ ପ୍ରତିଶତ ସ୍ଲାବ୍ । ରହିପାରେ ୫, ୧୮ ଓ ୪୦% ସ୍ଲାବ୍ । ୧୨ % ସ୍ଲାବରେ ଥିବା ୯୯% ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ । ୨୮% ସ୍ଲାବରେ ଥିବା ୯୦% ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ । ଗତକାଲି ଦିଲ୍ଲୀରେ ରାଜ୍ୟ ଜିଏସଟି ଅଧିକାରୀଙ୍କ ବଡ଼ ବୈଠକ ହୋଇଥିଲା । ଏଥିରେ ଜିଏସଟି ଦରରେ କ’ଣ ପରିବର୍ତ୍ତନ ହେବ, ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଏସଟିରେ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇଥିଲେ । ଜିଏସଟି ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ସ୍ଲାବରେ ପରିବର୍ତ୍ତନ ପାଇଁ ଜିଏସଟି ପରିଷଦ ଅନୁମୋଦନ କଲେ, ଅନେକ ସାମଗ୍ରୀ ଶସ୍ତା ହେବ ,ଅନେକ ମହଙ୍ଗା ବି ହେବ । ତେବେ କ’ଣ ହୋଇପାରେ ଶସ୍ତା ଏବଂ କ’ଣ ହୋଇପାରେ ମହଙ୍ଗା, ଆସନ୍ତୁ ନଜର ପକାଇବା ।
କ’ଣ ଶସ୍ତା ହେବ, କ’ଣ ହେବ ମହଙ୍ଗା ?
୧୭୫ ସାମଗ୍ରୀର ଜିଏସଟି ଦର ହ୍ରାସ ହେବା ସମ୍ଭାବନା
ସ୍ବାସ୍ଥ୍ୟ ଓ ଜୀବନ ବୀମାର ପ୍ରିମିୟମରୁ ହଟିପାରେ ଜିଏସଟି
ଟିଭି, ଏସି, ଫ୍ରିଜ, ୱାଂଶି ମେସିନ ହୋଇପାରେ ଶସ୍ତା
ସିମେଣ୍ଟ ମଧ୍ୟ ଶସ୍ତା ହୋଇପାରେ
ହୋଟେଲ ବିଲ୍ ଉପରୁ ହଟିପାରେ ଜିଏସଟି
କପଡ଼ା, ପୋଷାକ, ଜୋତା, ଚପଲ ହୋଇପାରେ ଶସ୍ତା
ଷ୍ଟେସନାରି ଆଇଟମ୍, ଘରକରଣା ଜିନିଷ ଶସ୍ତା ହୋଇପାରେ
ଦୁଇ ଚକିଆ ଯାନ, କାର୍,ଘର ନିର୍ମାଣ ସାମଗ୍ରୀ ଶସ୍ତା ହୋଇପାରେ
ପ୍ରସାଧନ ସାମଗ୍ରୀ, ଗୁଟଖା ଓ ମାଦକ ଦ୍ରବ୍ୟ ମହଙ୍ଗା ହୋଇପାରେ
ଏହା ଉପରେ ଲାଗିପାରେ ୪୦ ପ୍ରତିଶତ ଜିଏସଟି