କନକ ବ୍ୟୁରୋ : ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଏସଟି କାଉନସିଲ୍‌ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେବାକୁ ହୋଇପାରେ ବଡ଼ ନିଷ୍ପତ୍ତି, ଯାହାର ସଂକେତ ଅଗଷ୍ଟ ୧୫ରେ ଦିଲ୍ଲୀ ଲାଲକିଲ୍ଲାରୁ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।  ଦୀପାବଳିରେ ଦେଶବାସୀଙ୍କୁ ବଡ଼ ଭେଟି ଦେବାକୁ ମୋଦୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଚାଲିଛି ଏହି ମାନସ ମନ୍ଥନ। 

Advertisment

ଚର୍ଚ୍ଚା ହେଉଛି ୪ଟି ସ୍ଲାବକୁ କମାଇ ଦୁଇଟି ସ୍ଲାବ କରିପାରନ୍ତି କେନ୍ଦ୍ର ସରକାର । ଅଧିକାଂଶ ସାମଗ୍ରୀକୁ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବରେ ରଖାଯାଇପାରେ । ୨୮ ପ୍ରତିଶତର ଉଚ୍ଚ ଟିକସ ସ୍ଲାବରେ ଥିବା ସମସ୍ତ ସାମଗ୍ରୀକୁ ୧୮ ପ୍ରତିଶତକୁ ଆଣିପାରନ୍ତି ସରକାର । ସେହିପରି କିଛି ସାମଗ୍ରୀ ଉପରୁ ଆଦାୟ ହେଉଥିବା ୧୨ ପ୍ରତିଶତ ଟିକସ ୫ ପ୍ରତିଶତକୁ ଖସାଇ ପାରନ୍ତି । ହେଲେ ତମାଖୁ ଭଳି ସାମଗ୍ରୀ ଉପରେ ଉଚ୍ଚ ଟିକସ ଅର୍ଥାତ ୪୦ ପ୍ରତିଶତ ଜିଏସଟି ଆଦାୟର ପ୍ରସ୍ତାବ ରହିଛି । ଜିଏସଟି ଦର କମିଲେ ମଧ୍ୟବିତ୍ତଙ୍କ କ୍ରୟ କ୍ଷମତା ବଢ଼ିବ, କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରାୟ ୫୦ ହଜାର କୋଟିର ରାଜସ୍ୱ ହାନି ହେବ ବୋଲି ଆକଳନ କରାଯାଇଛି । 

୫ ଓ ୧୮ ପ୍ରତିଶତରେ ଟିକସ ସ୍ଲାବରେ ରହୁଥିବା ସାମଗ୍ରୀ ଗୁଡ଼ିକୁ ମେରିଟ ଓ ଷ୍ଟାଣ୍ଡାର୍ଡ ନାଁରେ ବର୍ଗୀକରଣ କରାଯିବ। ସେହିପରି ମହଙ୍ଗା ସାମଗ୍ରୀଗୁଡ଼ିକ ସିନ୍‌ ଟାକ୍ସ ନାଁରେ ୪୦ ପ୍ରତିଶତ ସ୍ଲାବରେ ରହିବ । ବର୍ତ୍ତମାନ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌ ଉପରେ ୧୮ ପ୍ରତିଶତର ଜିଏସଟି ଲାଗୁଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇପାରେ । ତମାଖୁ, ବିଳାସପୂର୍ଣ୍ଣ ଗାଡ଼ି, ମଦ ଉପରେ ଅଧିକ ଟିକସ କଷିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ତେବେ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଜିଏସଟି କ୍ଷତି ଭରଣା ପାଇଁ ଦାବି କରୁଥିବା ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି । ଅଧିକାଂଶ ସାମଗ୍ରୀ ଉପରୁ ଟିକସ କମିଲେ ରାଜ୍ୟଗୁଡ଼ିକର ରାଜସ୍ୱ ହାନି ହେବ ।