କନକ ବ୍ୟୁରୋ : ନୂଆ ସରକାରରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର ।  ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବସିବ ବୈଠକ । କାଲି ଜିଲ୍ଲାପାଳମାନଙ୍କ ସହ ସମସ୍ତ ଏସପିମାନେ ବୈଠକରେ ଯୋଗ ଦେବେ । ଲୋକଙ୍କ ସମସ୍ୟା ପ୍ରତି ଓଡିଶା ସରକାରଙ୍କ ବିକାଶର ରୋଡ଼ ମ୍ୟାପ ନେଇ ସବୁ ଜିଲ୍ଲାପାଳ, ଏସପି ଓ ଉପରିସ୍ଥ ଅଧିକାରୀଙ୍କ ସହ ହେବ ବୈଠକ । ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର କ୍ରୀୟନ୍ଵୟନ ବାବଦରେ ହେବ ବିସ୍ତୃତ ଆଲୋଚନା । ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିରେ ଶେଷରେ ଥିବା ବ୍ୟକ୍ତି ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେମିତି ପହଞ୍ଚିବ, ସେ ନେଇ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର । 

Advertisment

ଏହାସହ ସବୁଠୁ ବଡ କଥା ହେଲା, କେମିତି ପ୍ରଶାସକମାନେ ସମ୍ବେଦନଶୀଳ ହେବେ, ଗରିବଙ୍କ ହୃଦୟର ବେଦନା ବୁଝି ପାରିବେ ତାହା ହିଁ ମୂଳ ବିଷୟ । ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର, ଏ ମନ୍ତ୍ର ଜିଲ୍ଲାପାଳ, ଏସପି ପରେ ବ୍ଲକ ଅଧିକାରୀ, ତହସିଲଦାର ମାନଙ୍କୁ ମଧ୍ୟ ଦିଆଯିବ । ଦୁର୍ନୀତି ପ୍ରତି ଶୂନ୍ୟ ସମ୍ବେଦନଶୀଳତା । ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଆଇନ ପ୍ରତି ଭୟ, ଲୋକଙ୍କ ପ୍ରତି ମମତା । ଏହା ହିଁ ଆଜିର ଜିଲ୍ଲାପାଳ ବୈଠକରେ ହେବ ମୂଳ ମନ୍ତ୍ର।