କନକ ବ୍ୟୁରୋ : ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ । ଏହି ମିଳିତ ସମରାଭ୍ୟାସର ନାଁ ରଖାଯାଇଛି ‘ସାଗର କବଚ-୨’ । ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଉପକୂଳ ସହିତ ଜଳପଥରେ ମଧ୍ୟ କଡା ପ୍ରହରା ଦିଆଯାଉଥିବାବେଳେ ପାରାଦୀପର ପ୍ରତିଟି ଜାଗାରେ କଡା ଚେକିଂ କରାଯାଉଛି । ଜଳପଥ ଦେଇ ସ୍ଥଳଭାଗକୁ କିଭଳି ଶତ୍ରୁ ପକ୍ଷ ପ୍ରବେଶ ନକରି ପାରିବେ ସେଥିପାଇଁ ଚାଲିଛି ଏହି ଦୁଇଦିନିଆ ସମରାଭ୍ୟାସ ।
ବ୍ଲୁ ଟିମ୍ ଓ ରେଡ୍ ଟିମ୍ ଭାବେ ଦୁଇଟି ଟିମ ଗଠନ କରାଯାଇ ସମୁଦ୍ର ଭିତରକୁ ରେଡ ଟିମ ଯାତ୍ରା କରି ବିଭିନ୍ନ ମାରଣାସ୍ତ୍ର ଧରି ଉପକୂଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ । ଆଉ ଉପକୂଳରେ କଡା ପ୍ରହରା ଦେଉଥିବା ବ୍ଲୁ ଟିମ ସେମାନଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରିବ । ମୁମ୍ବାଇ ୨୬/୧୧ ଆକ୍ରମଣର ଯେପରି ପୁନରାବୃତି ନହେବ ତାହାକୁ ନେଇ କଡା ପ୍ରହରା ନେଇ ଅଭ୍ୟାସ କରାଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଇଥାଏ । କେବଳ ପାରାଦୀପ ନୁହେଁ ପୁରୀରେ ବି ଚାଲିଛି ‘ସାଗର କବଚ-୨’ ସମରାଭ୍ୟାସ ।