ବାପା ତୁମେ କୁଆଡ଼େ ଗଲ? ଘରର ମୂରବୀଙ୍କ ଫଟୋ ଦେଖି ଲୁହ ଝରାଉଛନ୍ତି ଦୁଇ ଝିଅ

 ବର୍ଷେ ହେଲାଣି କୁଆଡ଼େ ଚାଲିଯାଇଛନ୍ତି ବାପା ।  ଅସହାୟ ହୋଇଯାଇଛି ପରିବାର । ଅଧାରୁ ପାଠ ଛାଡ଼ିଦେଇଛି ଝିଅ । ଭଙ୍ଗା ଘରେ ଭୋକ ଉପାସରେ ବିତୁଛି ଜୀବନ । କେନ୍ଦ୍ରାପଡ଼ା ଆଳି ବ୍ଲକରୁ ଆସିଛି ଏପରି ଦୁଃଖଦ ଖବର ।

37

କନକ ବ୍ୟୁରୋ: ବାପା କେବଳ ଏକ ଶବ୍ଦ ନୁହେଁ । ଏହି ନାଁରେ ଭରି ରହିଛି ସାହସ, ତ୍ୟାଗ, ବଞ୍ଚିବାର ଆଶା।  ହେଲେ ସେ ଜଣକ ପାଖରୁ ଦୂରେଇ ଗଲେ ମନର ଦମ୍ଭ ଭାଙ୍ଗିଯାଏ । ଏମିତି ଅସହାୟ ଅବସ୍ଥାରେ ବାପାଙ୍କ ଫଟୋ ଦେଖି ଆଖିରୁ ଲୁହ ଝରାଉଛନ୍ତି ଦୁଇ ଝିଅ ।

୨୦୨୪ ସେପ୍ଟେମ୍ବରରୁ ନିଖୋଜ ବାପାଙ୍କୁ ଖୋଜିଆଣିବା ପାଇଁ ଝିଅର ଆକୁଳ ନିବେଦନ। ବାପାଙ୍କ ଅନୁପସ୍ଥିତିରେ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ଅର୍ଥାଭାବରୁ ଝିଅର ବି.ଟେକ୍‌ ପାଠ ଅଧାରୁ ବନ୍ଦ ହୋଇଯାଇଛି । ୨ ପିଲାଙ୍କ ପାଇଁ ଦାନା ଯୋଗାଡ଼ କରିବା ମା’ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଘରର ଅବସ୍ଥା ବି ସଙ୍ଗିନ ।  ଗୋଟିଏ ପାଖ କାନ୍ଥ ଗଳିପଡ଼ିଛି । ଅନ୍ୟପଟ ଫାଟି ଆଁ କରିଛି । ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି ଜମୁଛି। କେତେବେଳେ କ’ଣ ଅଘଟଣ ଘଟିବ ତାହା କହିହେବ ନାହିଁ । ଏଭଳି ଦୟନୀୟ ସ୍ଥିତିରେ ରହୁଥିବା ପରିବାର, ମୁଖିଆଙ୍କୁ ଖୋଜି ଆଣିବାକୁ ନେହୁରା ହୋଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ କୁମାରଟଙ୍କା ଗାଁର ୫୨ ବର୍ଷୀୟ ଶରତ ନାୟକ । ଗାଁ ଗାଁ ବୁଲି ପୂଜାସାମଗ୍ରୀ ବିକ୍ରି କରି ପରିବାର ଚଳାଉଥିଲେ । ୨ ଝିଅଙ୍କୁ ପାଠ ପଢ଼ାଉଥିଲେ। ବର୍ଷେ ହେଲାଣି କେଉଁଆଡ଼େ ଚାଲିଯାଇଛନ୍ତି । ତାଙ୍କ ବିନା ବଞ୍ଚିବା ପାଇଁ ପ୍ରତିଦିନ ସଂଘର୍ଷ କରୁଛି ତାଙ୍କ ପରିବାର । ଦୁଃଖୀ ପରିବାରର ଅସହାୟତାକୁ ବୁଝି ସରକାରୀସ୍ତରରେ ଉଦ୍ୟମ କରିବାକୁ ଦାବି ହୋଇଛି । କିଛି ସାମାଜିକ ଅନୁଷ୍ଠାନ ସହାୟତାରେ ସାନ ଝିଅର କଲେଜ୍‌ ଆଡମିସନ୍‌ ହୋଇଛି । ହେଲେ ଶରତଙ୍କୁ ଖୋଜି ଆଣିବାକୁ ଆକୁଳ ନିବେଦନ କରିଛନ୍ତି ପରିବାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe