କନକ ବ୍ୟୁରୋ: ନାତି ନାତୁଣୀଙ୍କୁ ପିଟିଲେ ଜେଜେମାଆ । ଘର ଭିତରେ ବନ୍ଦୀ କରି ରଖିଲେ । ଦୁଇମୁଠା ଖାଇବାକୁବି ଦେଲେନି । ନୃଶଂସତାର ସବୁ ସୀମା ଟପିଗଲେ । ବାପା ବି ନିର୍ଯାତନା ଦେଉଥିଲେ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଛାତି ଥରାଇଲା ଭଳି ଘଟଣା ।  

Advertisment

ଜେଜେମାଆଙ୍କୁ ଦେଖିଲେ ଲାଗୁଛି ଡର । ଛାଇ ଦେଖିଦେଲେ ଅଟକି ଯାଉଛି ହୃଦ ସ୍ପନ୍ଦନ । କୁନିପିଲାଙ୍କର ଅତି ଆପଣାର ହୁଅନ୍ତି ଜେଜେ ବାପା ଓ ଜେଜେମାଆ । କିନ୍ତୁ ଏଠି ଜେଜେମାଆଙ୍କୁ ଦେଖିଲେ ଭୟରେ ଥରିଉଠୁଛନ୍ତି ଭାଇ ଭଉଣୀ । ଜେଜେମାଆ ସାଜିଥିଲା ପିଶାଚି । କେତେବେଳେ ହାତରେ ତ କେତେବେଳେ କାଠ ଫାଳିଆରେ ମାଡ଼ ମାରୁଥିଲା । ଦେହସାରା କ୍ଷତଚିହ୍ନ । ମୁହଁ ଆଖି ଫୁଲିଯାଇଛି । ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନିରେ ଘଟିଛି ଏଭଳି ଛାତିଥରା ଘଟଣା । କିଭଳି  ନିର୍ଯାତନା ମିଳୁଥିଲା ଗୋଟିଗୋଟି କହିଛନ୍ତି ଭାଇ ଭଉଣୀ ।

ରସୁଲଗଡ଼ର ଜିଜିପି କଲୋନୀରେ ରହନ୍ତି ଏହି ପରିବାର । ଗତବର୍ଷ ଆରପାରିକୁ ଚାଲିଯାଇଥିଲେ ମାଆ । ଜେଜେ ମା ଓ ବାପାଙ୍କ ସହ ରହୁଥିଲେ ଭାଇ ଭଉଣୀ । ମାଆ ଯିବା ପରେ ସବୁ ବଦଳିଗଲା । ନିଜ ଘରେ ବନ୍ଦୀ ହୋଇ ରହିଲେ ଏହି ଦୁଇ କୁନିପିଲା । ସକାଳୁ ରାତି ପର୍ଯ୍ୟନ୍ତ ମିଳିଲା ନିର୍ଯାତନା । କେତେବେଳେ ଜେଜେମାଆ ତ କେତେବେଳେ ବାପାଙ୍କ ମାଡ଼ । ନୃଶଂସତାର ସବୁ ସୀମା ଟପିଯାଇଥିଲା । ପିଟି ପିଟି ପିଲା ଦୁଇଜଣଙ୍କୁ ନିସ୍ତେଜ କରି ପକାଇଥିଲେ । ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇ ଆସିଛନ୍ତି ।

ଦୁଇ ଶିଶୁଙ୍କୁ ଉଦ୍ଧାର କରିବା ପରେ ଡାକ୍ତରୀ ପରୀକ୍ଷା କରାଯାଇ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପୁଲିସ । ଶିଶୁଙ୍କୁ ନିର୍ଯାତନା ଦେଇଥିବା ବାପା ଓ ଜେଜେମାଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।