କନକ ବ୍ୟୁରୋ: ସୁଷମ ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ । ହେଲେ ଖୁବ୍ କମ୍ ଲୋକ ଗୋପାଳନ କରନ୍ତି । ସେହିପରି ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ ହେଲେ ଖୁବ୍‌ କମ୍ ଲୋକ ଚାଷ କରିବାକୁ ଭଲ ପାଆନ୍ତି । ତେବେ ଲୋକଙ୍କୁ ଉତ୍ତମମାନର କ୍ଷୀର ଯୋଗାଇଦେବା ପାଇଁ ଜଗତସିଂହପୁରର ଦୁଇ ଭାଇ ଆରମ୍ଭ କରିଛନ୍ତି ଗୋପାଳନ ।  

Advertisment

ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ବିଲଭୂୟାଁ ସାହିର ଦୁଇ ଭାଇ ସ୍ମୃତିରଞ୍ଜନ ଓ ଜ୍ଞାନରଞ୍ଜନ । ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଦୁହେଁ ସଫଳ ହୋଇଛନ୍ତି । ନିଜସ୍ବ ଉଦ୍ୟମରେ କିଛି କରିବା ଲକ୍ଷ୍ୟରେ ଯୁକ୍ତ ଦୁଇ ପାସ କରିବା ପରେ ସ୍ମୃତିରଞ୍ଜନ ମାତ୍ର ଦୁଇଟି ଗାଇ ରଖି ବ୍ୟବସାୟ ଆରମ୍ଭ କରିଥିଲେ । ଉତ୍ପାଦିତ କ୍ଷୀରକୁ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ୨୦୧୯-୨୦ରେ କରୋନା ମହାମାରୀ ସମୟରେ ବ୍ୟବସାୟକୁ ଆଗକୁ ବଢ଼ାଇଲେ । 

ଘରଠୁ ପ୍ରାୟ ଏକ କିମି ଦୂର ଅଳକା ନଦୀ ପଠାରେ ଏକ ଗୁହାଳ ନିର୍ମାଣ କରି ମାତ୍ର ୪ଟି ଗାଈ ରଖି ଗୋପାଳନ କଲେ । ଏହି କାମରେ ସାନଭାଇ ଜ୍ଞାନରଞ୍ଜନ ସହଯୋଗ କଲେ। ଧୀରେଧୀରେ ଦୁଇ ଭାଇଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଖୁବ କମ ଦିନରେ ୫୦୦୦ ସ୍କୋୟାର ଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ଗାଈ ଫାର୍ମ ପ୍ରତିଷ୍ଠା ହେଲା । ଏବେ ୫୦ରୁ ଊର୍ଦ୍ଧ୍ୱ ଗାଈ ଓ ବାଛୁରୀ ଅଛନ୍ତି । ଉତ୍ପାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରି ଭଲ ରୋଜଗାର କରୁଛନ୍ତି । ଗାଈଙ୍କ ଖାଦ୍ୟ ପାଇଁ ନିଜେ ଘାସଚାଷ କରିବା ସହିତ ଓମ୍ଫେଡ଼ରୁ ଗୋଖାଦ୍ୟ ଏବଂ ବଜାରରୁ ଚୋକଡ଼ ଆଦି କିଣିବାକୁ ପଡ଼ୁଛି । 

ଦୁଇ ଭାଇଙ୍କ ଡାଏରୀ ଫାର୍ମରୁ ଦୈନିକ ୩୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି ।  କ୍ଷୀର, ଛେନା, ପନିର, ଘିଅ, ଦହି ବିକ୍ରି କରି ଲାଭବାନ ହେଉଛନ୍ତି ଦୁଇ ଭାଇ । ଆଗକୁ ଏହାକୁ ଆହୁରି ବଢାଇବାକୁ ଆଶା ରଖିଛନ୍ତି ଦୁଇ ଭାଇ ସ୍ମୃତିରଞ୍ଜନ ଓ ଜ୍ଞାନରଞ୍ଜନ । ଅପମିଶ୍ରଣଠାରୁ ଦୂରେଇ ରହି ଲୋକଙ୍କୁ ଉତ୍ତମ ମାନର କ୍ଷୀର ଯୋଗାଉଛନ୍ତି । ଯାହା ଫଳରେ ତାଙ୍କ ବ୍ୟବସାୟ ବଢ଼ୁଛି । ଖୁବ୍ କମ ବୟସରେ ଦୁଇ ଭାଇ ମିଶି ପ୍ରତିଷ୍ଠା କରିଛନ୍ତି ଉନ୍ନତମାନର ଡାଏରୀ ଫାର୍ମ । ଏବଂ ଦୁହେଁ ବନି ଯାଇଛନ୍ତି ସଫଳ ଗୋଚାଷୀ ତଥା ଯୁବ ଉଦ୍ୟୋଗୀ । 

ଯାହାକି ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି । ଦୁଇ ଉଦ୍ୟୋଗୀ ଭାଇଙ୍କ ଉଦ୍ୟମକୁ ଦୃଷ୍ଟିରେ ରଖି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ତାଲିମ ଓ ସହାୟତା ପ୍ରଦାନ କରାଯାଉଛି । ବର୍ତମାନ ସମୟରେ ଚାକିରି ସମସ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଦୁଇ ଭାଇଙ୍କ ଗୋ-ପାଳନ ତାଙ୍କୁ ରୋଜଗାରକ୍ଷମ କରାଇଛି । ଆଉ ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛି ତାଙ୍କ ଉଦ୍ୟମ ।