କନକ ବ୍ୟୁରୋ : ଭୁବନେଶ୍ୱର ବିଜେଡି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ନୋଟିସ କରିଥିଲା ଦଳ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା । ଆଜି ଏହି ଡେଡଲାଇନ ଶେଷ ହେଉଥିବାବେଳେ ନୋଟିସ ପାଇଥିବା ଦୁଇ କର୍ପୋରେଟର କି ଉତ୍ତର ରଖିବେ, ତା ଉପରେ ନଜର ରହିଛି । ତେବେ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କଠାରୁ ନୋଟିସ ପାଇଥିବା ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି, ସେ ଶୃଙ୍ଖଳା ଭିତରେ ଅଛନ୍ତି । ଦୀର୍ଘବର୍ଷ ହେଲା ଦଳ ପାଇଁ କାମ କରିଆସିଛନ୍ତି । ତେଣୁ ଦଳର ସଭାପତିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ।  ସେପଟେ ଅମରେଶ ଜେନା କହିଛନ୍ତି ତାଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହୋଇଛି । ଯଦି ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ବାରମ୍ୱାର ଦଳର ସଭାପତିଙ୍କ ନିକଟକୁ ଯିବେ ବୋଲି କହିଛନ୍ତି । 

Advertisment

ବିଜେଡି ଲୋକ ହିଁ ବିଜେଡି ଉପରେ ଅତ୍ୟାଚାର କରିଥିବା କହି ପରୋକ୍ଷରେ ଅଶୋକ ପଣ୍ଡାଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି ଅମରେଶ ଜେନା । ଯିଏ ଦୋଷ କରିଛି କାଲି ସକାଳେ ତାକୁ ମଧ୍ୟ ନୋଟିସ ହୋଇପାରେ କହି, ଘର କଳିକୁ ଆହୁରି ତେଜିଛନ୍ତି । ପୂର୍ବରୁ ଶଙ୍ଖଭବନ କଳି ବିଏମସିରେ ପହଞ୍ଚିଥିଲା । କର୍ପୋରେସନ ବୈଠକ ଛାଡ଼ି ଅଲଗା ମେଳି କରିଥିଲେ ବିଜେଡି କର୍ପୋରେଟର । ଯାହାକୁ ନେଇ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ କରାଯାଇଛି । ସେପଟେ ଉତ୍ତର ରଖିବା ପୂର୍ବରୁ ପୁଣିଥିରେ ନାଲିଆଖି ଦେଖାଇଛନ୍ତି ଦଳର ମୁଖପାତ୍ର । ଯିଏ ଦଳରେ ଅଣନିଶ୍ୱାସୀ ହୋଇପଡୁଛି ସେ ଦଳ ଛାଡିଦେବାକୁ ଆହ୍ୱାନ ଦେଇଛନ୍ତି ଲେନିନ ମହାନ୍ତି । ଗୋଟିଏ ପଟେ ଅସନ୍ତୁଷ୍ଟ ନେତା ଦଳ ଛାଡ଼ି ଦେବାକୁ ଚେତାବନୀ । ଅନ୍ୟପଟେ କାର୍ପଟଦାର ନେତାଙ୍କ ବିରୋଧରେ କର୍ପୋରେଟରଙ୍କ ଖୋଲାଖୋଲି ବିଦ୍ରୋହ । ତେଣୁ ନୋଟିସର ଉତ୍ତର ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭର କରୁଛି ଭୁବନେଶ୍ୱର ବିଜେଡିର ଭାଗ୍ୟ ।