ଗୋଟିଏ ଗାଁର ଦୁଇଟି ଠିକଣା: ଦୁଇଟି ଜିଲ୍ଲାରେ ରହିବାରୁ ଅବହେଳିତ ପାହାଡି ଗାଁ

ଦୁଇ ନାଆରେ ଗୋଡ ରଖିଲେ ଯାହା ଅବସ୍ଥା ହୁଏ, ଠିକ୍ ସେହି ଅବସ୍ଥାର ପ୍ରତିଫଳନ ହେଉଛି ଏକ ପାହାଡ଼ି ଗାଁରେ। ଦୁଇଟି ଜିଲ୍ଲା ଅଧିନରେ ବସବାସ କରୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ।

wd

କନକ ବ୍ୟୁରୋ: ଦୁଇ ନାଆରେ ଗୋଡ ରଖିଲେ ଯାହା ଅବସ୍ଥା ହୁଏ, ଠିକ୍ ସେହି ଅବସ୍ଥାର ପ୍ରତିଫଳନ ହେଉଛି ଏକ ପାହାଡ଼ି ଗାଁରେ। ଦୁଇଟି ଜିଲ୍ଲା ଅଧିନରେ ବସବାସ କରୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ। ଇଏ କାମ କଲେ ସିଏ ମନା କରୁଛି । ସିଏ କଲେ ଇଏ ମନା କରୁଛି। ଯାହାକୁ ନେଇ ଦୋ-ଛକିରେ ଗ୍ରାମବାସୀ। 

ପାହାଡ଼ି ରାସ୍ତାରେ ୧ କିଲୋମିଟର ଗଲେ ପଡ଼ିବ ଗାଁ। ଘଂଚ ଜଙ୍ଗଲରେ ଠାଏ ଠାଏ ଘର। ସମସ୍ତେ ଗୋଟିଏ ଗାଁର। ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଚେମଚଟା ପାହାଡ଼ରେ ଥିବା ଗାଁ। ଗାଁଟି ମୟୂରଭଂଜ ଜିଲ୍ଲାରେ ଥିବା ବେଳେ ପାହାଡ଼ଟି ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧିନରେ ରହିଛି। ତେଣୁ ବିଜୁଳି ସାତ ସପନ, ଅନ୍ଧାରରେ ଚେମଚଟା ଗାଁ। ବର୍ଷବର୍ଷ ଧରି ୨୮ଟି ପରିବାର ରହୁଛନ୍ତି, ଏଯାଏଁ ଜମିପଟ୍ଟା ନାହିଁ। ଗାଁକୁ ରାସ୍ତା ନାହିଁ। ସବୁଠାରୁ ଦୁଃଖର କଥା ହେଉଛି, ଘର ପାଖରେ ବିସ୍ତିର୍ଣ୍ଣ ଜମି ଅଛି, କିନ୍ତୁ ଗ୍ରାମବାସୀ ଚାଷ କରିପାରୁନାହାନ୍ତି। 

ଚେମଚଟା ପାହାଡ଼ରେ ଚାଷ କଲେ ନୀଳଗିରି ବନବିଭାଗ ଉଜାଡ଼ି ଦେବାର ଭୟ ରହିଛି। କାରଣ ପୂର୍ବରୁ ଗ୍ରାମବାସୀଙ୍କ ଚାଷ ନଷ୍ଟ କରିବା ସହ ଆଉ ଚାଷ ନକରିବାକୁ ତାଗିଦ୍ କରିଯାଇଛି ବନବିଭାଗ। ଗାଁରେ ସ୍ୱାସ୍ଥ୍ୟସେବାର ଚିହ୍ନବର୍ଣ୍ଣ ନାହିଁ। ଯଦି କିଏ ଅସୁସ୍ଥ ହୁଏ, ତେବେ ତାଙ୍କୁ ଭଗବାନ ଭରସା। ଶିକ୍ଷାର କଥା କହୁଛି ଗାଁରେ ଥିବା ଆଜବେଷ୍ଟସ ପକା ଅଙ୍ଗବୱାଡି। ଯାହା ସପ୍ତାହରେ ଦିନେ ଖୋଲେ, ବାକି ୬ ଦିନ ବନ୍ଦ।

ଚେମଚଟା ଗାଁର କିଛି ଲୋକ କପ୍ତିପଦା ବ୍ଲକରୁ ସରକାରୀ ଭତା ଓ ରାସନ ପାଉଛନ୍ତି। କିନ୍ତୁ ପାଖରେ ଜମି ପଟ୍ଟା ନଥିବାରୁ ପକ୍କାଘର ମିଳୁନି। କୁନିକୁନି ପିଲାଙ୍କ ପାଠପଢ଼ା ଅଙ୍ଗନୱାଡି ପରେ ଠପ୍ ହୋଇଯାଉଛି। ଏଭଳି ଅବସ୍ଥାରେ ଗ୍ରାମବାସୀଙ୍କ ଭାଗ୍ୟ କିଏ ନିର୍ଦ୍ଧାରଣ କରିବ ତାହା ସବୁଠାରୁ ବଡ ପ୍ରଶ୍ନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe