କନକବ୍ୟୁରୋ : ଟ୍ରମ୍ପ୍ଙ୍କ ବିଜୟ ପ୍ରଭାବ । ଦିନକରେ ମସ୍କଙ୍କ ସମ୍ପତ୍ତି ୨ ଲକ୍ଷ ୧୯ ହଜାର ୧୮୬ କୋଟି ବଢ଼ିଗଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ଯଦି ଦୁନିଆର କୌଣସି ବ୍ୟକ୍ତିଙ୍କୁ ସର୍ବାଧିକ ଫାଇଦା ଦେଇଥାଏ ତେବେ ସେ ହେଉଛନ୍ତି ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ। ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ୍ଙ୍କୁ ଖୋଲା ସମର୍ଥନ ଦେଇଥିବା ଓ ତାଙ୍କ ଲାଗି ସମର୍ଥନ ଯୋଗାଡ଼ କରିବାକୁ ଭରପୁର ପ୍ରୟାସ କରିଥିବା ମସ୍କଙ୍କ ସମ୍ପତ୍ତିରେ ଗୋଟିଏ ଦିନରେ ୨୬ ବିଲିୟନ୍ ଡଲାରର ବୃଦ୍ଧି ହୋଇଛି ।
ଫଳରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୨୯ ହଜାର କୋଟି ଡଲାରକୁ ବୃଦ୍ଧି ପାଇଛି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ବିଜୟୀ ହେବା ପରେ ଟେସ୍ଲାର ସେୟାର ମୂଲ୍ୟ ୧୪.୭୫ ପ୍ରତିଶତ ବୃଦ୍ଧି ପାଇ ୨୮୮.୫୩ ଡଲାରରେ ପହଞ୍ଚିଥିଲା ।
ଏହାର ପ୍ରଭାବରେ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି। ଟ୍ରମ୍ପଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲାଗି ମସ୍କ ନିଜ ସୋସିଆଲ ମିଡିଆ ‘ଏକ୍ସ’କୁ ବ୍ୟାପକ ବ୍ୟବହାର କରିଥିବା ବେଳେ ୧୨୦ ନିୟୁତ ଡଲାର ମଧ୍ୟ ଦେଇଥିଲେ ।
ଆମେରିକା ସରକାରରେ ମସ୍କଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେବା ଲାଗି ଟ୍ରମ୍ପ୍ ପ୍ରସ୍ତାବ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଟେସ୍ଲା ଓ ସ୍ପେସ୍ଏକ୍ସ ଭଳି ନିଜର ଦୁଇ ଚର୍ଚ୍ଚିତ କମ୍ପାନି ଜରିଆରେ ବ୍ୟବସାୟ ଓ ପ୍ରଯୁକ୍ତି ଦୁନିଆରେ ନିଜ ସ୍ଥିତିକୁ ବେଶ୍ ଦୃଢ଼ କରିପାରିଥିବା ମସ୍କ ଏବେ ଟ୍ରମ୍ପ୍ଙ୍କ ନିକଟତର ହୋଇ ଆମେରିକାର ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି ।