କନକ ବ୍ୟୁରୋ : ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର ଧ୍ବନି ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । କଟକରେ ସୁନାଚାନ୍ଦି ମେଢ଼ରେ ଶୋଭାପାଉଛନ୍ତି ମାଆ ଦଶଭୁଜା। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘା ଟ। ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଟ୍ବିନସିଟି। ସବୁଠି ଦେଖିବାକୁ ମିଳିଛି ଉତ୍ସବର ପରିବେଶ। ମହାଷ୍ଟମୀରେ ପ୍ରବଳ ଗହଳି ଆଶଙ୍କାରେ ବିଭିନ୍ନ ପୂଜା ପେଣ୍ଡାଲରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ସେପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି ।
ଦୁର୍ଗାପୂଜା ପାଇଁ ଟ୍ବିନ୍ ସିଟିରେ ନାହିଁ ନଥିବା ଭିଡ଼ । ଘଣ୍ଟା ଘଣ୍ଟା ଧରି ଜାମ୍ । ଭିଡ଼ରେ ଗାଡ଼ି ଗଡ଼ିବା କଷ୍ଟକର । ସଂଧ୍ୟା ହେବାକ୍ଷଣି ରାସ୍ତାରେ ଯିବା ମୁସକିଲ୍ ହୋଇପଡିଛି । ରାଜଧାନୀ ଭୁବନେଶ୍ବରରେ ଫ୍ଲାଏଓଭର ହେଉ କି ତଳ ରାସ୍ତା ସବୁଠି ଜାମରେ ଫସୁଛନ୍ତି ଲୋକେ । ସଂପୂର୍ଣ୍ଣ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲା ଭଳି ଲାଗୁଛି । ସେହିପରି କଟକରେ ମଧ୍ୟ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଏପରିକି ଦିନରେ ମଧ୍ୟ ଲୋକେ ପୂଜା ମଣ୍ଡପ ବୁଲୁଛନ୍ତି। ଫଳରେ ଅନେକ ରାସ୍ତାରେ ଉପୁଜୁଛି ଟ୍ରାଫିକ୍ ସମସ୍ୟା ।
ପୂଜା ମଣ୍ଡପ ବୁଲିଲେ କଟକ ଡିସିପି । କଟକର ବିଭିନ୍ନ ପୂଜା ପେଣ୍ଡାଲ ବୁଲି ଦେଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ସୁରୁଖୁରୁରେ ଦଶହରା ସମାପନ ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଡିସିପି । ଏଥିସହ ଟ୍ରାଫିକ୍ ନିୟମ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଭିଡ଼ ସମୟରେ ନିଜ ଗହଣା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ପେଣ୍ଡାଲଗୁଡିକରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି ତାର ଯାଞ୍ଚ କରିଛନ୍ତି ଡିସିପି ।