କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ମହିମା ନିକଟରେ ସାରା ଜଗତ ମଥାନତ କରିଆସିଛି କାଳ କାଳ ଧରି । ରହସ୍ୟମୟ ଆମ ଠାକୁର କେଉଁ ଅନାଦି ଅନନ୍ତ କାଳରୁ ପବିତ୍ର ଶ୍ରୀକ୍ଷେତ୍ରରେ ପୂଜା ପାଇ ଆସୁଛନ୍ତି । ସେ ସମଗ୍ର ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ଆରାଧ୍ୟ ଠାକୁର ଓ ପ୍ରାଣପ୍ରିୟ ଦେବତା । ଆମ ସମସ୍ତଙ୍କ ପାଇଁ ଆଧ୍ୟାତ୍ମିକ ଜାଗରଣର କେନ୍ଦ୍ରବିନ୍ଦୁ ହେଉଛନ୍ତି କଳାଠାକୁର । ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରରେ ଅବସ୍ଥାନ କରି ସେ ଅପୂର୍ବ ମାନବୀୟ ଲୀଳା ପ୍ରକଟ କରୁଛନ୍ତି । ତାଙ୍କ ମନ୍ଦିର ଶ୍ରୀମନ୍ଦିରର ରହସ୍ୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ।
/filters:format(webp)/kanak/media/media_files/2025/07/01/22-2025-07-01-11-36-46.jpg)
ବାଇଶି ପାହାଚ ଶ୍ରୀମନ୍ଦିରର ଏକ ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ଅଂଶ । ମନ୍ଦିରର ମୁଖ୍ୟ ଦ୍ବାର ଅର୍ଥାତ୍ ସିଂହଦ୍ବାରରୁ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବେଶ କଲାବେଳେ ବାଇଶି ପାହାଚକୁ ଅତିକ୍ରମ କରିବାକୁ ପଡ଼ିଥାଏ । ଏହାର ସ୍ବରୂପ ଯେତିକି ଚିତ୍ତାକର୍ଷକ ସେତିକି ରହସ୍ୟମୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ବୃଦ୍ଧି ପାଇଁ ଶ୍ରୀମନ୍ଦିରର ଯେଉଁ ଅଂଶଗୁଡ଼ିକ ଅଧିକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି , ତନ୍ମଧ୍ୟରୁ ବାଇଶି ପାହାଚ ଅନ୍ୟତମ । ଆଉ ଧର୍ମୀୟ ଭାବନା ଓ ଆଧ୍ୟାତ୍ମିକ ଜାଗରଣ କ୍ଷେତ୍ରରେ ବାଇଶି ପାହାଚର ଭୂମିକା ଅତ୍ୟନ୍ତ ମାର୍ମିକ ଓ ପ୍ରଭାବଶାଳୀ । ଭକ୍ତମାନଙ୍କ ପାଇଁ ବାଇଶି ପାହାଚ ହେଉଛି କୋଟିତୀର୍ଥର ସ୍ଥଳ ଓ ମୋକ୍ଷ-ମୁକ୍ତିର ପୁଣ୍ୟଭୂମି । ଓଡ଼ିଆମାନଙ୍କ ହୃଦୟରେ ଏହି ବାଇଶି ପାହାଚ ଶବ୍ଦ ହେଉଛି ଏକ ଆଧ୍ୟାତ୍ମିକ ସ୍ପନ୍ଦନ ।
/filters:format(webp)/kanak/media/media_files/2025/07/01/twenty-two-steps-2025-07-01-11-38-22.jpg)
ବାଇଶି ପାହାଚର ବାମ ପାର୍ଶ୍ବରେ କାଶୀବିଶ୍ବନାଥ ମନ୍ଦିର, ଶ୍ରୀରାମଚନ୍ଦ୍ର ମନ୍ଦିର , ଶ୍ରୀନୃସିଂହ ଓ ଗଣେଶ ମନ୍ଦିର ସହିତ ସରଘର ରହିଛି । ଏହି ପାହାଚର ଓସାର ୬ ଫୁଟ,ଲମ୍ବ ୭୦ ଫୁଟ ଓ ଉଚ୍ଚତା ୬ ଇଞ୍ଚ୍ ହେବ । ଆମେ ସାଧାରଣରେ ୨୨ ଗୋଟି ପାହାଚ ରୂପେ ପ୍ରତିପାଦନ କରୁଥିଲେ ହେଁ ପ୍ରକୃତପକ୍ଷେ ଏହା ୧୭ ଟି ସଂଖ୍ୟାରେ ସୀମିତ । ସଂସ୍କୃତିବିତଙ୍କ କହିବାନୁସାରେ ପୂର୍ବରୁ ୨୨ ଗୋଟି ପାହାଚ ଥିଲା କିନ୍ତୁ କାଳକ୍ରମେ ମରାମତି ଏବଂ ଅନ୍ୟ କୌଣସି କାରଣ ନିମନ୍ତେ ଏବେ ୨୨ଟି ପାହାଚ ପରିଦୃଶ୍ୟ ହେଉନାହିଁ । ଆନନ୍ଦବଜାର ଯିବାକୁ ଥିବା ୨ ପାହାଚକୁ ମିଶାଇ ଏହି ସଂଖ୍ୟା ୨୦ ଅଟେ । ତେବେ ଏହି ସବୁ ପାହାଚର ନିର୍ମାଣ ବଉଳମାଳ ଓ ଶାଣି ପଥରରେ ହୋଇଛି । ତେବେ ଏହି ବାଇଶି ପାହାଚକୁ ମଧ୍ୟ ନିର୍ଦ୍ଦିଷ୍ଟ ନାମରେ ନାମିତ କରାଯାଇଛି । ଯଥା – ତୀବ୍ରା, କୁମୁଦବତୀ, ମନ୍ଦା, ଛନ୍ଦୋବତୀ, ଦୟାବତୀ, ରଞ୍ଜନୀ, ରତିକା, ରୌଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରଣୀ, ବ୍ରତୀ, ମାର୍ଜନୀ, କ୍ଷିତି, ରକ୍ତା, ସାନ୍ଦିପନୀ, ଅଜପନି, ମଦନ୍ତି, ରମ୍ୟା, ଉଗ୍ରା ଓ କ୍ଷୋଭିନୀ ।