କନକ ବ୍ୟୁରୋ : ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଥିବାବେଳେ ଗଭୀର ସମୁଦ୍ର ମଧ୍ୟରୁ କଇଁଛଙ୍କ ଏକ ଏକ୍ସକ୍ଲୁସିଭ୍‌ ଭିଡିଓ ସାମ୍ନାକୁ ଆସିଛି । ହଜାର ହଜାର ମାଇଲ ଦୂର ଅତିକ୍ରମ କରି ଏହି ବିରଳ ପ୍ରଜାତିର କଇଁଛମାନେ ଓଡ଼ିଶାର ଗହୀରମଥା ଓ ଋଷିକୁଲ୍ୟା ଭଳି ଉପକୂଳକୁ ବଂଶବୃଦ୍ଧି ପାଇଁ ଆସିଥାନ୍ତି । ଏହି ଭିଡିଓରେ ଅନେକ କଇଁଛ ସମୁଦ୍ରର ନୀଳ ଜଳରାଶିରେ ପହଁରୁଥିବାର ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ର ମଧ୍ୟରେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲିଥିବାରୁ ମାଛଧରା ଉପରେ କଡ଼ା କଟକଣା ଜାରି କରାଯାଇଛି । ବିଶେଷକରି ଯାନ୍ତ୍ରିକ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ ରୋକ୍‌ ଲଗାଯାଇଛି, କାରଣ ଟ୍ରଲର ମାଡ଼ରେ ଅନେକ ସମୟରେ କଇଁଛଙ୍କ ମୃତ୍ୟୁ ଘଟିଥାଏ । ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସମୟରେ ସ୍ଥାନୀୟ ଅଞ୍ଚଳକୁ ଏକ 'ହାଇସିକ୍ୟୁରିଟି ଜୋନ୍' ବା ଉଚ୍ଚ ସୁରକ୍ଷା ବଳୟ ଭାବେ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ : ବିଧାନସଭା ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଐତିହାସିକ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବନବିଭାଗର ସ୍ୱତନ୍ତ୍ର ଟିମ୍ ଦିନରାତି ସମୁଦ୍ରରେ ପାଟ୍ରୋଲିଂ କରୁଛନ୍ତି । ବେଆଇନ ମାଛଧରାକୁ ରୋକିବା ପାଇଁ କଡ଼ା ନଜର ରଖାଯାଇଛି । ଏନେଇ ଚିଲିକା ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇ କହିଛନ୍ତି ଯେ, କିପରି କଇଁଛମାନେ ସୁରକ୍ଷିତ ଭାବରେ ପ୍ରଜନନ କରିପାରିବେ ସେ ଦିଗରେ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି । ଆଗକୁ କିଛି ଦିନ ପରେ ମିଳନ ପ୍ରକ୍ରିୟା ଶେଷ ହେଲେ, ଲକ୍ଷ ଲକ୍ଷ କଇଁଛ ସମୁଦ୍ର ବେଳାଭୂମିକୁ ସମୂହ ଅଣ୍ଡାଦାନ ପାଇଁ ଆସିବେ । ସେହି ସମୟରେ କଇଁଛଙ୍କ ସୁଅ ଛୁଟିବ । ତେଣୁ ସେମାନଙ୍କର ସୁରକ୍ଷିତ ଆଗମନ ଓ ଅଣ୍ଡାଦାନ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ସେଥିପାଇଁ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି ଚିଲିକା ଡିଏଫଓ ଅମ୍ଳାନ ନାୟକ ।