କନକ ବ୍ୟୁରୋ: ନୂଆପଡ଼ା ଉପ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନି, ହେଲେ ଏବେଠୁ କିନ୍ତୁ ଉପ ନିର୍ବାଚନ ରେଜଲ୍ଟ ନେଇ ବଡ଼ ବୟାନ ରଖିଛନ୍ତି ବିଜେଡି ନେତ୍ରୀ ଟୁକୁନି ସାହୁ । କହିଛନ୍ତି, ନିର୍ବାଚନ ଅଛି ବୋଲି ସରକାର ନୂଆପଡ଼ା ଯାଇ ବାହାବା ନେବେ ଭାବୁଛନ୍ତି । ହେଲେ ଲୋକ ଜାଣି ସାରିଲେଣି ଏ ମିଛୁଆ ସରକାର ମିଛ କଥା କହିବେ । ଏ କେବଳ କଥା କହିବେ କାମ କରିବେନି ।

Advertisment

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମ ଓଡିଶା ଲୋକଙ୍କୁ ସରକାର ଭୁଆଁ ବୁଲେଇ ପାରିବେନି । ନୂଆପଡ଼ାରେ ବିଜେଡି ଜିତିବ । ନବୀନ ବାବୁ ଯାହାକୁ ପ୍ରାର୍ଥୀ କରିବେ ସେ ଜିତିବ । ଶଙ୍ଖ ଚିହ୍ନ ଲୋକପ୍ରିୟତା ସାଉଁଟିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଟୁକୁନି ସାହୁ   । ଏହାସହ ସେ ଏହାମଧ୍ୟ କହିଛନ୍ତି ଯେ, ନୂଆପଡ଼ାରେ ନବୀନ ବାବୁଙ୍କ ଲୋକପ୍ରିୟତା ରହିଛି । ନବୀନ ବାବୁ ଯାହାକୁ ଟିକେଟ ଦେବେ ଦଳ ମତ ନିର୍ବିଶେଷରେ ଏକ ହେଇକି ଆମେ କାମ କରିବୁ । ବିଜୁ ଜନତା ଦଳ ହାତ ମୁଠାକୁ ଟାଣ କରିବୁ । ଲୋକ ସରକାରୀ ଦଳକୁ ଭଲ ପାଉନାହାନ୍ତି । ପ୍ରତିଦିନ ସରକାର ସମାଲୋଚନର ଶିକାର ହେଉଛନ୍ତି । ଏବେ ଯାଏ କିଛି ନୂଆ କାମ କରିନାହାନ୍ତି । ଖାଲି ନୂଆପଡା ନୁହେଁ ପୁରା ଓଡିଶା ତାଙ୍କର ଦାୟିତ୍ୱ । ଓଡିଶା ପାଇଁ କାମ କରନ୍ତୁ, ଖାଲି ଘୋଷଣା କଲେ ହେବନି ବୋଲି କହିଛନ୍ତି ଟୁକୁନି ସାହୁ ।

ଜାଣିରଖିବା ଉଚିତ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍‌ଘାଟନ କରିଛନ୍ତି ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି ।