କନକ ବ୍ୟୁରୋ : ଗାଁକୁ ଲମ୍ବିଛି ମାଟି ରାସ୍ତା । ଦୁଇ ପଟେ ବିଲମାଳ, ମଝିରେ ନାଳ। ଗମନାଗମନ ପାଇଁ ଏଇ ରାସ୍ତା ଉପରେ ନିର୍ଭର କରନ୍ତି ୫ଟି ଗାଁର ଲୋକ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁକିଗାଁ ଓ ବେହେଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ବଖାଣୁଛି ସରକାରୀ ବ୍ୟବସ୍ଥାର ସତ । ଆଉ ପଦାରେ ପଡିଛି ଲୋକଙ୍କ ସେବା କରୁଥିବା ନେଇ ଡିଣ୍ଡିମ ପିଟୁଥିବା ସରକାରଙ୍କ ଅସଲ ଚେହେରା ।
ମାଟି ରାସ୍ତାକୁ ପକ୍କା କରିବା ସହ ନାଳ ଉପରେ କଂକ୍ରିଟ୍ ପୋଲଟିଏ ପାଇଁ ଅନେକ ଥର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ନେହୁରା ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଶୀତତାପ ନିୟନ୍ତ୍ରୀତ କୋଠାରେ ବସୁଥିବା ବାବୁଙ୍କୁ ଦେଖାଯାଉନି ଗ୍ରାମବାସୀଙ୍କ ଦୁଃଖ ! ତେଣୁ ବର୍ଷା ବଢ଼ିବା ଆଗରୁ ବିକଳ୍ପ ବାଝିଛନ୍ତି ଲୋକେ । ଗାଁର ଯୁବକମାନେ ତିଆରି କରିଛନ୍ତି କାଠପୋଲ । କାରଣ, ଏଇ ନାଳ ଡେଇଁ ପିଲାମାନେ ଯିବେ ସ୍କୁଲ କଲେଜ । ସାପ୍ତାହିକ ହାଟ, ବଜାର, ପଞ୍ଚାୟତ, ବ୍ୟାଙ୍କ, ଡାକ୍ତରଖାନା ଯିବା ପାଇଁ ଏଇ ଗୋଟିଏ ହିଁ ବାଟ ।
ଗାଁର ବିକାଶ ଓ ମା'କୁ ସମ୍ମାନ କଥା କହୁଥିବା ସରକାର ଏଇ ଖବର ଦେଖିବା ପରେ ସମାଧାନର ବାଟ ବାହାର କରିବେ ବୋଲି ଆଶା ।