କନକ ବ୍ୟୁରୋ:  ଚୀନ୍‌ ଉପରେ ଖପ୍ପା ହେଲେଣି ଟ୍ରମ୍ପ । ସେଇଥି ଲାଗି ତ ଲଗାଇଛନ୍ତି ୧୦୦ ପ୍ରତିଶତ ଅତିରିକ୍ତ ଟାରିଫ୍‌ । ନଭେମ୍ବର ୧ ତାରିଖ ୨୦୨୫ ରୁ ସମସ୍ତ ଚୀନ୍ ଆମଦାନୀ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଘୋଷଣା କରିଛନ୍ତି ଟ୍ରମ୍ପ । ଏହା ସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ରପ୍ତାନି ଉପରେ ନିୟନ୍ତ୍ରଣ ମଧ୍ୟ ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । 

Advertisment

ଚୀନ ଓ ଆମେରିକା ମଧ୍ୟରେ ବଢ଼ିବାରେ ଲାଗିଛି ଉତ୍ତେଜନା । କେବଳ ଉତ୍ତେଜନା ବଢିଛି ତାହା ନୁହେଁ ବରଂ ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଏବଂ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଏହି ଟାରିଫ୍‌ ପରି ପଦକ୍ଷେପ ନେଇଛନ୍ତି ଟ୍ରମ୍ପ । ସେପଟେ ବିଶେଷଜ୍ଞମାନେ କହିଲେଣି, ଏହି ନୀତି କାର୍ଯ୍ୟକାରୀ ହୁଏ, ତେବେ ବିଶ୍ୱ ବଜାରକୁ ଗୁରୁତର ଭାବରେ ପ୍ରଭାବିତ କରିବ ।

ଚୀନ ଉପରେ ଅଧିକ ୧୦୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ କରି ଚୀନକୁ ଟାର୍ଗେଟ କରିଛନ୍ତି । ଲେଖିଛନ୍ତି ଯେ "ଚୀନ ଅସ୍ୱାଭାବିକ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟିକ ମନୋଭାବ ଗ୍ରହଣ କରିଛି ଏବଂ ଏହା ସମସ୍ତ ଦେଶକୁ ପ୍ରଭାବିତ କରିବ। ଚୀନ ଏହାର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି କଟକଣା ଲଗାଇବାକୁ ଯୋଜନା କରୁଛି, ଯାହା ଦ୍ଵାରା ବିଶ୍ୱ ବଜାରରେ ଅସନ୍ତୁଳନ ସୃଷ୍ଟି ହେଉଛି । ଆମେରିକା ଏବେ ସମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନଭେମ୍ବର ୧ରୁ ଆମେ ଚୀନ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲାଗୁ କରିବୁ ବୋଲି ଟ୍ରମ୍ପ କହିଛନ୍ତି । 

ଏସ୍‌ସିଓ ସମ୍ମିଳନୀରେ ଏକାଠି ହୋଇଥିଲେ ବିଶ୍ବର ୩ ମହାଶକ୍ତି । ଋଷିଆ-ଭାରତ ଓ ଚୀନ୍‌ ଏକାଠି ହେବା ପରେ ରାଗିପାଚି ଲାଲ୍‌ ହୋଇଥିଲେ ଟ୍ରମ୍ପ । ଅବଶ୍ୟ ଏହାକୁ ଡ୍ରାମା ବୋଲି କହିଥିଲେ । କିନ୍ତୁ ୩ ମହାଶକ୍ତି ଏକାଠି ମିଶିଲେ ଆମେରିକା ପାଇଁ ବଡ଼ କ୍ଷତି ହେବ ବୋଲି ଟ୍ରମ୍ପ ଭଲରେ ଜାଣିଥିଲେ । ସେଇଥି ଲାଗି ତ ଗୋଟିଏ ପରେ ଗୋଟିଏ ଅତିରିକ୍ତ ଟାରିଫ୍‌ ଲଗାଇବାରେ ବ୍ୟସ୍ତ ଅଛନ୍ତି ଟ୍ରମ୍ପ । ପୂର୍ବରୁ ବି ଋଷିଆଠୁ ଭାରତ ତେଲ କିଣିବା ପରେ ଟ୍ରମ୍ପ ନାପସନ୍ଦ କରିଥିଲେ । ହେଲେ ଭାରତ ଟ୍ରମ୍ପଙ୍କ କଥା ଶୁଣିନଥିଲା । ଏବେ ପୁଣି ଥରେ ଟ୍ରମ୍ପ ଚୀନ୍‌ ବିରୋଧରେ ଟାରିଫ୍‌ ଲଗାଇବା ପରେ ପୂରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ତେବେ ଟାରିଫ୍‌ ଲଗାଇବା ପରେ ଏବେ କେଉଁ କେଉଁ ସାମଗ୍ରୀ ଉପରେ ଦର କେତେ ବଢୁଛି ତାହା ଉପରେ ନଜର ।