କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୬୯ଟି ଦେଶ ଉପରେ ପାଲଟା ଶୁଳ୍କ ଘୋଷଣା କରିଛନ୍ତି । ସର୍ବାଧିକ ୪୩ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇଥିବା ବେଳେ ଭାରତ ଉପରେ ୨୫% ଶୁଳ୍କ ଲାଗିଛି । ଏହି ଶୁଳ୍କ ଚଳିତ ମାସ ୭ରୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଋଷ ଠାରୁ ଭାରତ ତେଲ ଏବଂ ଅସ୍ତ୍ର କିଣୁଥିବା ଦର୍ଶାଇ ଟ୍ରମ୍ପ ଜରିମାନା ମଧ୍ୟ ଲଗାଇଛନ୍ତି । କିନ୍ତୁ ଜରିମାନା କେତେ ଲାଗିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏବଂ ଭାରତୀୟ ରପ୍ତାନିର ବଡ଼ ଅଂଶ (ଫାର୍ମା ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସମେତ) ଆମେରିକାର ଛାଡ଼ ବର୍ଗରେ ଆସୁଛି । ତେଣୁ ସେସବୁ ସାମଗ୍ରୀ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ ।

Advertisment

ଆମେରିକାକୁ ଭାରତ କରୁଥିବା ରପ୍ତାନିର ଅଧାରୁ ଅଧିକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆମେରିକାର ଛାଡ଼ ଧାରାର ୨୩୨ ଅଧୀନରେ ଏହି ରିହାତି ମିଳିବ । ତେଣୁ କେବଳ ୪୦ ବିଲିଅନ ଡଲାରର ରପ୍ତାନି ପ୍ରଭାବିତ ହେବ ବୋଲି କୁହାଯାଉଛି । ୨୦୨୪- ୨୫ ଅର୍ଥିକବର୍ଷରେ ଭାରତ ଏବଂ ଆମେରିକା ମଧ୍ୟରେ ୧୩୧.୮ ବିଲିଅନ ଡଲାରର ବାଣିଜ୍ୟ ହୋଇଥିଲା । ସେଥିରୁ ୮୬.୫ ବିଲିଅନ ଡଲାର ରପ୍ତାନି ହୋଇଥିବାବେଳେ ୪୫.୩ ବିଲିଅନ ଡଲାର ହେଉଛି ଆମଦାନି । କୁହାଯାଉଛି ଯେ ବାଣିଜ୍ୟ ଆଲୋଚନାରେ ଆମେରିକାର ଦୁଗ୍ଧଜାତ ସାମଗ୍ରୀକୁ ଭାରତ କୌଣସି ରିହାତି ଦେବ ନାହିଁ । କାରଣ ସେ ଦେଶରେ ଚାଷୀମାନେ ଗୋଖାଦ୍ୟରେ ବ୍ୟବହାର କରୁଥିବା ସାମଗ୍ରୀକୁ ନେଇ ଆପତ୍ତି ରହିଛି। ଭାରତର ଧାର୍ମିକ ଭାବାବେଗ ଏହା ସହ ଜଡ଼ିତ ଥିବାରୁ ଏହା ଭାରତ ପାଇଁ ଗ୍ରହଣଯୋଗ୍ୟ ହେବ ନାହିଁ । ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂପର୍କିତ ଆଲୋଚନା ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଷଷ୍ଠ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ଚଳିତମାସ ଶେଷ ଆଡ଼କୁ ହେବାକୁ ଯାଉଛି ।

ଖାଲି ଏତିକି ନୁହେଁ ରୁଷ୍ ଉପରେ ରାଗ ସୁଝାଇବାକୁ ଯାଇ ଟ୍ରମ୍ପ୍ ୫୦ ଦେଶ ଉପରେ ଭାରତ ଠାରୁ କମ୍ ଶୁଳ୍କ ଲଗାଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ସଂକ୍ରାନ୍ତ କାର୍ଯ୍ୟକାରୀ ଆଦେଶ ଦ୍ଵାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇଛି । ପାଲଟା ଶୁଳ୍କ ହାର ପୁନଶ୍ଚ ସଂଶୋଧନ ଶୀର୍ଷକ ଏହି ଆଦେଶରେ ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ୧୦ ପ୍ରତିଶତରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଘୋଷଣା କରିଛନ୍ତି । ବ୍ରିଟେନ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଥିବା ବେଳେ ଲାଓସ ଓ ମ୍ୟାମାର ଉପରେ ୪୦ ପ୍ରତିଶତ ଲେଖାଏଁ ଶୁଳ୍କ ବସା ଯାଇଛି ।

ଭାରତର ପଡ଼ୋଶୀ ପାକିସ୍ତାନ ଉପରେ ୧୯ ପ୍ରତିଶତ, ଶ୍ରୀଲଙ୍କା ଉପରେ ୨୦ ପ୍ରତିଶତ ଏବଂ ବାଂଲାଦେଶ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ ଆମେରିକା ଲାଗୁ ହୋଇଛି । ଅଗଷ୍ଟ ୭ରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ପାକିସ୍ତାନ ଓ ବାଂଲାଦେଶ ସମେତ ୫୦ଟି ଦେଶ ଉପରେ ଆମେରିକାର ଆମଦାନି ଶୁଳ୍କ ଭାରତ ଠାରୁ କମ୍ ରହିଛି । ଭାରତ ତୁଳନାରେ ବାଂଲାଦେଶ ଶୁଳ୍କ କମ୍ ରହିଥିବାରୁ ଭାରତର ପୋଷାକ ରପ୍ତାନିକାରୀମାନଙ୍କ ପାଇଁ ଆମେରିକା ବଜାରରେ ପ୍ରତିଯୋଗିତା କଷ୍ଟକର ହେବ ।