କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଘୋଷଣା କରିଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଶର ପ୍ରାୟ ୪୮୨୦ କୋଟି ଡଲାରର ରପ୍ତାନି ଉପରେ ପଡ଼ିବ । ୨୦୨୪ର ବାଣିଜ୍ୟ ମୂଲ୍ୟ ହିସାବରେ ଏହି ଆକଳନ କରାଯାଇଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ।
ଅଗଷ୍ଟ ୬ରେ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ରୁଷ୍ଠାରୁ ଭାରତ ତେଲ କିଣା ଜାରି ରଖିଥିବାରୁ ସେ ଏଭଳି ଘୋଷଣା କରିଛନ୍ତି । ତାହା ପୂର୍ବରୁ ସେ ଯେଉଁ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ ତାହା ଚଳିତମାସ ୭ ତାରିଖରୁ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଯଦି ଟ୍ରମ୍ପ ଅଗଷ୍ଟ ୬ରେ ଘୋଷଣା କରିଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର ନକରନ୍ତି ତା’ହେଲେ ଅଳ୍ପ କେତେକ ସାମଗ୍ରୀକୁ ବାଦ୍ ଦେଲେ ଅଗଷ୍ଟ ୨୭ରୁ ଭାରତର ରପ୍ତାନି ଉପରେ ଆମେରିକାରେ ୫୦ ପ୍ରତିଶତ ଶୁଳ୍କ ଲାଗିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଜାତୀୟ ସ୍ୱାର୍ଥ ଏବଂ କୃଷକ, ଶ୍ରମିକ, ଉଦ୍ୟୋଗୀ ଓ ରପ୍ତାନିକାରୀ ଆଦିଙ୍କ ମଙ୍ଗଳକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି । ଟ୍ରମ୍ପଙ୍କ ଶୁଳ୍କ ଲାଗୁର ପ୍ରଭାବକୁ କମ୍ କରିବା ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚଢ଼ା ଶୁଳ୍କ ପଦକ୍ଷେପକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି । ଏହାକୁ ଅନୁଚିତ ଓ ଅଯୌକ୍ତିକ ବୋଲି ଦର୍ଶାଯାଇଛି । କାରଣ ରୁଷ୍ରୁ ତେଲ କିଣୁଥିବା ଅନ୍ୟ ଦେଶଗୁଡ଼ିକ ତାଲିକାରେ ୟୁରୋପୀୟ ସଂଘ, ଚୀନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି । ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ସମ୍ପର୍କରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ଚଳିତମାସ ୨୫ ତାରିଖରେ ନୂଆଦିଲ୍ଲୀରେ କରିବାକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ବାତିଲ କରାଯାଇଛି। ନୂଆ ତାରିଖ ମଧ୍ୟ ଧାର୍ଯ୍ୟ ହୋଇନାହିଁ ।