କନକବ୍ୟୁରୋ : ମୁହାଁମୁହିଁ ଟ୍ରମ୍ପ-ଜେଲେନସ୍କି, ଯୁଦ୍ଧ ବିରତିକୁ ନେଇ ଦୁଇ ବିଶ୍ବନେତାଙ୍କ ମଧ୍ୟରେ ବାକଯୁଦ୍ଧ। ଶୁକ୍ରବାର ହ୍ବାଇଟ ହାଉସ ଓଭାଲ କାର୍ଯ୍ୟାଳୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସାକ୍ଷାତ ସମୟରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ। ରୁଷ ସହ ଅସ୍ତ୍ର ବିରତି ପ୍ରସ୍ତାବକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି,  ଏପରି କି ତୁମେ ତୃତୀୟ ବିଶ୍ବଯୁଦ୍ଧର ଜୁଆ ଖେଳୁଛ, ଯାହାର ପରିଣାମ ଭୟଙ୍କର ହେବ ବୋଲି ଜେଲେନସ୍କିଙ୍କୁ ଚେତାଇ ଦେଇଛନ୍ତି ଟ୍ରମ୍ପ । ୟୁକ୍ରେନବାସୀଙ୍କ ହିତ ଲାଗି ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧ ବନ୍ଦ ହେବାର ଆବଶ୍ୟକତା ରହିଛି, ଏଥିପାଇଁ ରୁଷ ସହ ବୁଝାମଣା କରିବାକୁ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟଖାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

Advertisment

 ଟ୍ରମ୍ପଙ୍କ ସମ୍ମୁଖରେ ଜେଲେନସ୍କି ପୁଟିନଙ୍କୁ ଆତଙ୍କୀ କହିବା ସହ ଏଭଳି ହତ୍ୟାକାରୀଙ୍କ ସହ ଆପୋଷ ବୁଝାମଣା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଭିତରେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି। ଯୁଦ୍ଧ ରୋକିବା ସହ ଶାନ୍ତି ପାଇଁ ବୁଝାମଣା ହିଁ ଏକମାତ୍ର ଉପାୟ, ଆମେରିକାର ରାଷ୍ଟ୍ରମୁଖ୍ୟ ହିସାବରେ ଏହା ମୋର ଦାୟିତ୍ବ ।

ଏହି ଯୁଦ୍ଧରେ ଆମେରିକାକୁ ଜଡ଼ିତ ହେବାର ନଥିଲା। ଯଦି ଆମେ ଏହି ଯୁଦ୍ଧରେ ସାମିଲ ହୋଇନଥାନ୍ତୁ, ତେବେ ଆଜି ଏପରି ସ୍ଥିତି ହୋଇନଥାନ୍ତା ବୋଲି ଟ୍ରମ୍ପ କହିବା ସହ ପୂର୍ବର ବାଇଡେନ୍ ପ୍ରଶାସନକୁ ଏଥିପାଇଁ ଦାୟୀ କରିଛନ୍ତି ।  ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ଉପରେ ଜୋର ଦେବା ସହ ଆମେରିକା ୟୁକ୍ରେନକୁ ଯୁଦ୍ଧ ପାଇଁ ସମର୍ଥନ କରିଥିବା ଅର୍ଥର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଟ୍ରମ୍ପ ।   ଏହି ଭେଟଘାଟ ସମୟରେ କିଛି ଚୁକ୍ତିନାମା ସ୍ବାକ୍ଷରିତ ହେବା ସହିତ ୟୁକ୍ରେନର ଖଣିଜ ଶିଳ୍ପରେ ଆମେରିକାର ନିବେଶ ସହ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରାଯାଇଛି ।