କନକ ବ୍ୟୁରୋ: ଶୁଳ୍କ ବୃଦ୍ଧି ଓ ବାଣିଜ୍ୟିକ ପ୍ରତିଦ୍ୱନ୍ଦିତା ସ୍ଥିତି ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଟ୍ରମ୍ପ ଓ ଜିନ୍ପିଙ୍ଗ୍ଙ୍କ ସାକ୍ଷାତକାର ଖବର । ଆଗାମୀ ଦିନରେ ଉଭୟ ସାକ୍ଷାତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏବେ ଏହି ସାକ୍ଷାତକାର ଉପରେ ସଙ୍କଟର ବାଦଲ ଦେଖା ଦେଇଛି । ଦୁଇ ମହାଶକ୍ତି ଭେଟ ହେଲେ ଶୁଳ୍କ ଯୁଦ୍ଧରେ ବିରାମ ଲାଗିପାରେ ବୋଲି ଆଲୋଚନା ହେଉଥିଲା । ଏଭଳି ଆଲୋଚନା ମଧ୍ୟରେ ଏକ ଟ୍ୱିଷ୍ଟ୍ ରହିଛି । କାରଣ କୌଣସି ସାକ୍ଷାତକାର କରିବାକୁ ବେଜିଂ ମନା କରିଦେଇଛି । ମିଡିଆ ରିପୋର୍ଟ ମୁତାବକ ଜିନ୍ପିଙ୍ଗ୍ ଟ୍ରମ୍ପ୍ଙ୍କ ସହ କିମ୍ବା ଆମେରିକାର କୌଣସି ସମକକ୍ଷ ନେତାଙ୍କ ସହ ସାକ୍ଷାତାକାର କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହାକୁ ନେଇ ଏବେ ଅନେକ ଆକଳନ ହେବାରେ ଲାଗିଛି । ବାସ୍ତବରେ କାହିଁକି ଟ୍ରମ୍ପ୍ଙ୍କ ସହ ଦେଖା କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଜିନ୍ପିଙ୍ଗ୍ ? କଣ ହୋଇପାରେ କାରଣ ?
ନିକଟରେ ଡୋନାଲ୍ଟ ଟ୍ରମ୍ପ୍ଙ୍କ ସହ ସାକ୍ଷାତକାର ପାଇଁ ହ୍ୱାଇଟ୍ ହାଉସ୍ରେ ପହଞ୍ଚିଥିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି । ହେଲେ ଏଠାରେ ତାଙ୍କ ପ୍ରତି ଉଚିତ ବ୍ୟବହାର କରାଯାଇନଥିଲା । ଏହାପରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଠିକ୍ ଭାବରେ ଆଚରଣ କରିନଥିଲା ହ୍ୱାଇଟ୍ ହାଉସ୍ । ଏହାକୁ ନେଇ ନ୍ୟୁଜିୱିକ୍ ନାମକ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଣୁ ଜିନ୍ପିଙ୍ଗ୍ ହ୍ୱାଇଟ୍ ହାଉସ ଯିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଆଲୋଚନା ହେଉଛି । ଏକ ରିପୋର୍ଟ ମୁତାବକ ରାଷ୍ଟ୍ରପିତି ସି ଜିନ୍ପିଙ୍ଗ୍ଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁନି ବେଜିଂ । ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ୍ଙ୍କ ଅନୁଚିତ ବ୍ୟବହାର ଏକ ବିପଦ ସୃଷ୍ଟି କରିପାରେ ବୋଲି ବେଜିଂ ଆଶଙ୍କା କରୁଛି । ଏଣୁ ଏହି ଦୁଇ ନେତା ମଧ୍ୟରେ ଏବେ କୌଣସି ପ୍ରକାର ସାକ୍ଷାତକାର ସମ୍ଭବ ନୁହେଁ ।
ଯେତେବେଳେ ଯାଏ ବେଜିଂ ଆଶ୍ୱସନା ନପାଇଛି ଯେ ଜିନ୍ପିଙ୍ଗ୍ଙ୍କ ସହ କୌଣସି ଅନୁଚିତ ବ୍ୟବହାର ହେବନାହିଁ, ସେତେବେଳେ ଯାଏ କୌଣସି ସାକ୍ଷାତାକାର ସମ୍ଭବ ନୁହେଁ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଠିକ୍ ଆଚରଣ କରିନଥିଲା ହ୍ୱାଇଟ୍ ହାଉସ । ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହୋଇଥିଲା । ଟ୍ରମ୍ପ ପ୍ରଶାସନର ଏଭଳି ବ୍ୟବହାର ପରେ ଜିନ୍ପିଙ୍ଗ୍ ଟ୍ରମ୍ପ୍ଙ୍କୁ ଦେଖା କରିବାକୁ ମନ ବଳାଉନାହାନ୍ତି । କିନ୍ତୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ବାରମ୍ବାର ଦାବି କରାଯାଉଛି ଯେ ଏକ ସପ୍ତାହ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ହେବ । ଜିନ୍ପିଙ୍ଗ୍ ହ୍ୱାଇଟ୍ ହାଉସ୍ ନଆସିବା ଚର୍ଚ୍ଚା ପରେ ଟ୍ରମ୍ପ ଜିନ୍ପିଙ୍ଗ୍ଙ୍କ ସହ ଟେଲିଫୋନ୍ ମାଧ୍ୟମରେ କଥା ହେବେ ବୋଲି ୱାଶିଂଟନ୍ କହିଛି । ଯାହା ଜିନ୍ପିଙ୍ଗ୍ ଟ୍ରମ୍ପଙ୍କ ସହ ଦେଖା କରିବାକୁ ଚାହୁନଥିବା ଖବରର ସତ୍ୟତା ପ୍ରତିପାଦନ କରୁଛି । ଏହା ସହିତ ଜିନ୍ପିଙ୍ଗ୍ଙ୍କ ସହ ଆଲୋଚନା କରିବା କଷ୍ଟକର ବୋଲି କହିଛି ୱାଶିଂଟନ୍ ।