କନକ ବ୍ୟୁରୋ :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆନ୍ଦୋଳନକାରୀଙ୍କୁ ପ୍ରଦର୍ଶନ ଜାରି ରଖିବାକୁ ନି‌ବେଦନ କରିଛନ୍ତି । ସେମାନଙ୍କ ପାଇଁ ସହାୟତା ଆସୁଛି ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିବାବେଳେ ଟ୍ରମ୍ପ ଇରାନ ପ୍ରସଙ୍ଗରେ ସିଧାସଳଖ ହସ୍ତକ୍ଷେପ କରିପାରନ୍ତି ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ କେଉଁ ପ୍ରକାର ସହାୟତା ଯୋଗାଇ ଦେବେ ତାହା ସ୍ପଷ୍ଟ କରିନାହାନ୍ତି । ଇରାନରେ ଆନ୍ଦୋଳନକାରୀଙ୍କୁ ଦମନଲୀଳା ଜାରି ରହିଥିବା ପର୍ଯ୍ୟନ୍ତ  ସେ ଇରାନର ଅଧିକାରୀଙ୍କ ସହିତ କୌଣସି ପ୍ରକାରର ଆଲୋଚନା କରିବେ ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଇରାନରେ ବର୍ତ୍ତମାନ ଆନ୍ଦୋଳନକାରୀ ନିରବ ଥିବାବେଳେ ପ୍ରକୃତ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଇରାନର ଦୁର୍ବଳ ଅର୍ଥନୀତି ତଥା ୮୬ ବର୍ଷୀୟ ସୁପ୍ରିମ ନେତା ଆୟାତୁଲହା ଅଲ୍ଲୀ ଖାମିନେଇଙ୍କ ବିରୋଧରେ ଗତ ଡିସେମ୍ବରରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଏଥିଯୋଗୁ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଇରାନର ଜଣେ ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Advertisment

ଅଧିକ ପଢ଼ନ୍ତୁ :  ଇରାନର ନିର୍ବାସିତ ରାଜକୁମାର ପହଲାଭିଙ୍କୁ ଭେଟିଲେ ଟ୍ରମ୍ପ ପ୍ରଶାସନ : ବୈଠକରେ ଗୁପ୍ତ ଚୁକ୍ତି

ଆମେରିକା ସ୍ଥିତ ମାନବିକ ଅଧିକାର କର୍ମୀ ନ୍ୟୁଜ ଏଜେନ୍ସି ଅନୁଯାୟୀ ବୁଧବାର ସୁଦ୍ଧା ୨୫୭୧ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି । ଇରାନରେ ଇଣ୍ଟରନେଟ ବନ୍ଦ ଥିବାରୁ ପ୍ରକୃତ ମୃତକଙ୍କ ସଂଖ୍ୟା ଜଣାପଡ଼ିନାହିଁ। ଇରାନ ବିକ୍ଷୋଭକାରୀ ଇରଫାନୀ ସୁଲତାନୀଙ୍କୁ ଆଜି ଫାଶୀ ଦେଇପାରେ। ଅନ୍ୟପକ୍ଷରେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ଇରାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ। ଟ୍ରମ୍ପ ତେହେରାନ ଉପ‌ରେ ଅଧିକ ଚାପ ପକାଇବାକୁ ଅର୍ଥନୀତିକ କଟକଣା ଲଗାଇବା ଏବଂ କୂଟନୈତିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଚଳାଇଛନ୍ତି। ଇରାନ ସହିତ କେହି ବ୍ୟବସାୟ କରିଲେ ସେହି ଦେଶର ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଅର୍ଥନୈତିକ ସଙ୍କଟ ମଧ୍ୟରେ ଇରାନ ନେତୃବୃନ୍ଦ ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇ ଚାପରୁ ଖସି ଯିବାରେ ସିଦ୍ଧହସ୍ତ ।

ଅଧିକ ପଢ଼ନ୍ତୁ :  ଭେନେଜୁଏଲାର ତୈଳ ଉତ୍ପାଦନ ଉପରେ ଟ୍ରମ୍ପ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ: କାରବିଆନ ସାଗରରୁ ଆଉ ଏକ ତେଲ ଟ୍ୟାଙ୍କର ଜବତ

ଅନ୍ୟପକ୍ଷରେ ଇରାନ ସ୍ଥିତିକୁ ନେଇ ଇସ୍ରାଏଲ ହାଇଆଲର୍ଟରେ ରହିଛି। ଇସ୍ରାଏଲ ସେନା ଇରାନର ଆନ୍ଦୋଳନକୁ ଆଭ୍ୟନ୍ତରୀଣ ମାମଲା କହିଥିବାବେଳେ ତେବେ କୌଣସି ଆଶ୍ଚର୍ୟ୍ୟଜନକ ସ୍ଥିତି ପାଇଁ ସତର୍କ ରହିଛି ବୋଲି କହିଛି। ଅନ୍ୟପକ୍ଷରେ ଇରାନର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ରୁଷ୍‌ ଓ ଚୀନ୍‌ କଡ଼ା ବିରୋଧ କରିଛନ୍ତି। ଇରାନ ଆମେରିକା ପ୍ରସଙ୍ଗରେ ଜାତିସଂଘରେ ବିରୋଧ ରୁଜୁ କରିଛି ।