କନକ ବ୍ୟୁରୋ: ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜା ଶାନ୍ତି ଯୋଜନା ଘୋଷଣା କରିଛନ୍ତି । ଏହା କାର୍ଯ୍ୟକ‌ାରୀ ହେଲେ ଇସ୍ରାଏଲ-ହମାସ ମଧ୍ୟରେ ଗତ ଦୁଇବର୍ଷ ଧରି ଚାଲିଥିବା ଯୁଦ୍ଧରେ ପରିସମାପ୍ତି ଘଟିବ । ଉଭୟ ଇସ୍ରାଏଲ ଓ ହମାସ୍‌ ପକ୍ଷରୁ ଶାନ୍ତି ଯୋଜନା ଗ୍ରହଣୀୟ ହେଲେ ସମସ୍ତ ପଣବନ୍ଦୀଙ୍କୁ ୭୨ ଘଣ୍ଟା ମଧ୍ୟରେ ମୁକ୍ତ କରାଯିବ ବୋଲି କୁହାଯାଇଛି । ହ୍ୱାଇଟ୍ ହାଉସ୍‌ ପକ୍ଷରୁ ପ୍ରସ୍ତୁତ ଶାନ୍ତି ପ୍ରସ୍ତାବରେ ଗାଜାରେ ଅସ୍ଥାୟୀଭାବେ ଏକ ଅଣରାଜନୈତିକ ସରକାର ରହିବା ନେଇ କୁହାଯାଇଛି । ଇସ୍ରାଏଲ ଏହାକୁ ଅଧିଗ୍ରହଣ କରିବ ନାହିଁ । ଅସ୍ଥାୟୀ ସରକାରରେ ପାଲିଷ୍ଟିନୀୟଙ୍କ ସମେତ ବିଶ୍ୱର ବିଭିନ୍ନ ଦେଶର ବି‌ଶେଷଜ୍ଞ ରହିବେ । ‌ଇସ୍ରାଏଲ ଏହି ଯୋଜନା ପ୍ରତି ରାଜି ହୋଇଥିବାରୁ ନେତାନ୍ୟାହୁଙ୍କୁ ଟ୍ରମ୍ପ ଧନ୍ୟବାଦ ଦେଇଥିଲେ ।

Advertisment

ଟ୍ରମ୍ପ କହିଛନ୍ତି, "ଆଜି(ସୋମବାର) ଶାନ୍ତି ପାଇଁ ଏକ ଐତିହାସିକ ଦିନ । ଚାଲନ୍ତୁ ଏହାକୁ ମଧ୍ୟପ୍ରାଚ୍ୟରେ ଚିର ଶାନ୍ତିର ଦିନ ବିବେଚନା କରିବା ।" ରାଜିନାମା ହମାସ ଓ ଅନ୍ୟ ପକ୍ଷର ଗ୍ରହଣୀୟ ହେବା ନେଇ ଟ୍ରମ୍ପ ‌ଦୃଢ଼ ଅଶାବାଦୀ ଅଛନ୍ତି । ଯଦି ଏହା ଗ୍ରହଣୀୟ ହୁଏ ତା’ହେଲେ ଯୁଦ୍ଧ ତୁରନ୍ତ ବନ୍ଦ ହେବ । ସବୁ ପଣବନ୍ଦୀଙ୍କୁ ମୁକ୍ତ କରିବା ପ୍ରସ୍ତାବରେ  ଯଦି ହମାସ ରାଜି ହୁଏ ତା’ହେଲେ ଯୁଦ୍ଧର ଅବସାନ ଘଟିବ । ଏଥିସହିତ ଗାଜାକୁ ସାମରିକ ଶକ୍ତିରୁ ମୁକ୍ତ କରାଯିବା ସହିତ ଇସ୍ରାଏଲୀ ବାହିନୀକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରାଯିବ । ହମାସଠାରୁ ସକାରାତ୍ମକ ଉତ୍ତର ମିଳିବା ନେଇ ଟ୍ରମ୍ପ ଆଶାବାଦୀ ଥିବା କହିଛନ୍ତି । ଟ୍ରମ୍ପଙ୍କ କହିବାନୁଯାୟୀ, ଶାନ୍ତି ପାଇଁ ଏକ ପରିଷଦ ଗଠନ ହେବ । ଉକ୍ତ ପରିଷଦ ପରିସ୍ଥିତିର ଅନୁଧ୍ୟାନ କରିବ । ଗାଜା ପାଇଁ ଏକ ନୂଆ ପରିଚାଳନା କର୍ତ୍ତୃପକ୍ଷ ଗଠନ ହେବ । ଏଥିରେ ପାଲିଷ୍ଟେନୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନେ ରହିବେ । ହ୍ୱାଇଟ୍ ହାଉସ୍‌ ପକ୍ଷରୁ ପ୍ରକାଶ ହୋଇଥିବା ୨୦ ସୂତ୍ରୀ ଯୋଜନାରେ ଏକ ଅସ୍ଥାୟୀ ପରିଚାଳନା ପରିଷଦ ଗଠନ କରାଯିବ ଯାହାର ନେତୃତ୍ୱ ଟ୍ରମ୍ପ ନେବେ । ଏଥିରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ରହିବେ ।

ପାଲିଷ୍ଟେନୀୟମାନଙ୍କୁ ଗାଜା ଛାଡ଼ିବାକୁ ପଡ଼ିବନି । ତେବେ ଟ୍ରମ୍ପ ଶାନ୍ତି ପାଇଁ ପ୍ରଚେଷ୍ଟା କରୁଥିବାବେଳେ ହମାସ ଯଦି ଏହାକୁ ପ୍ରତ୍ୟାଖ୍ୟାନ କରେ ତା’ହେଲେ ଇସ୍ରାଏଲକୁ ୱାସିଂଟନର ସମର୍ଥନ ଜାରି ରହିବ । ହମାସକୁ ସଂପୂର୍ଣ୍ଣ ଧ୍ୱଂସ କରିବା ପାଇଁ ତାଙ୍କର ସମର୍ଥନ ରହିବ ବୋଲି ଟ୍ରମ୍ପ କହିଛନ୍ତି । ଏହି ଅବସରରେ ଚଳିତ ମାସରେ ଦୋହାରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ହ୍ୱାଇଟ୍ ହାଉସରୁ ଫୋନ୍‌ ଯୋଗେ ନେତାନ୍ୟାହୁ କତାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଛନ୍ତି । କତାର ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ପୂର୍ବରୁ ଟ୍ରମ୍ପ କ୍ଷୁବ୍ଧ ଥିଲେ ।ଶାନ୍ତି ପ୍ରସ୍ତାବ ଉଭୟ ପକ୍ଷ ଦ୍ୱାରା ଗ୍ରହଣୀୟ ହେଲେ ୨୦୨୩ ଅକ୍ଟୋବର ୭ ଆକ୍ରମଣରେ ପଣବନ୍ଦୀଭାବେ ହମାସ ପାଖରେ ଥିବା ପଣବନ୍ଦୀ ମାନଙ୍କୁ ଛାଡ଼ିବ । ଅନ୍ୟପକ୍ଷରେ ଇସ୍ରାଏଲ ୨୫୦ ଆଜୀବନ କଏଦୀଙ୍କୁ ମୁକ୍ତ କରିବ । ଶାନ୍ତି ପ୍ରସ୍ତାବ ଗ୍ରହଣ ହେବାମାତ୍ରେ ତୁରନ୍ତ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ । ସେହିଭଳି ପାଲିଷ୍ଟିନୀୟ ଓ ଇସ୍ରାଏଲୀଙ୍କ ମିଳିତ ସହାବସ୍ଥାନ ପାଇଁ ଆମେରିକା ଆଲୋଚନାକୁ ଆଗକୁ ବଢ଼ାଇବ । ଶାନ୍ତି ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ଗାଜାର ଭବିଷ୍ୟତରେ ହମାସର କୌଣସି ଭୂମିକା ରହିବ ନାହିଁ । ନେତାନ୍ୟାହୁ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରିଥିବାବେଳେ ହମାସ କି ପଦକ୍ଷେପ ନେଉଛି ତାହା ଉପରେ ଆଖି ରହିଛି ।