କନକ ବ୍ୟୁରୋ : ଚଳିତ ମାସରେ ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏସସିଓ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଅଗଷ୍ଟ--୩୧ରୁ ସେପ୍ଟେମ୍ବର ଏକ ଦୁଇ ଧିନ ଧରି  ଟିଆନଜିନରେ ଆୟୋଜିତ ହେବ ସମ୍ମିଳନୀ । ତେବେ ୨୦୧୯ ପରେ ପ୍ରଥମ ଥର ପାଇଁ ମୋଦୀ ଚୀନ ଗସ୍ତ କରିବେ  ।ଗଲୱା ଘାଟି ହିଂସା ପରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଛି । ତେବେ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି । ଗତ ମାସରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚୀନ ଗସ୍ତ କରିଥିଲେ, ଯେଉଁଠାରେ ସେ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଥିଲେ । ଜୟଶଙ୍କର ଜଳସମ୍ପଦ ତଥ୍ୟ ବାଣ୍ଟିବା, ବାଣିଜ୍ୟ ପ୍ରତିବନ୍ଧକ, ଏଲଏସିରେ ଉତ୍ତେଜନା ହ୍ରାସ କରିବା ଏବଂ ଆତଙ୍କବାଦ ଏବଂ ଉଗ୍ରବାଦ ବିରୁଦ୍ଧରେ କଠୋର ପଦକ୍ଷେପ ନେବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବୈଠକ ମୋଦିଙ୍କ ଚୀନ ଗସ୍ତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା ।

Advertisment

ସେପଟେ ରୁଷ ଉପରେ ରାଗ, ଭାରତକୁ ନାଲିଆଖି । ପ୍ରଥମେ ୨୫% ଟାରିଫ, ଆଉ ଏବେ ଅତିରିକ୍ତ ଟାରିଫ ଲଗାଇବାକୁ ଆମେରିକା ଦେଉଛି ଧମକ । ଏହା ଭିତରେ ଭାରତ ନିଜ କୂଟନୀତି ରଣନୀତି ଆପଣାଉଥିବା ଖବର ଆସୁଛି  । ହଠାତ ରୁଷ ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ତେବେ ଏହି ଗସ୍ତ ସମୟରେ ମସ୍କୋ ଓ ଦିଲ୍ଲୀ ମଧ୍ୟରେ ବଡ଼ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହୋଇପାରେ । ତେବେ ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ସୂଚନା ଦିଆଯାଇନି । ଅନ୍ୟପଟେ ଖୁବଶୀଘ୍ର ରୁଷ ଗସ୍ତ କରିପାରନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର । 

ଭାରତ ସହ ଗୋଟିଏ ପଟେ ଟ୍ରେଡ୍‌ ଡିଲ୍‌କୁ ନେଇ ଆଗ୍ରହୀ ଥିବା କହି ସେପଟେ ଟାରିଫ ପରେ ଟାରିଫ ଲଗାଉଛନ୍ତି ଟ୍ରମ୍ପ । ଏହା ପଛର ଅଜବ ଯୁକ୍ତି ମଧ୍ୟ ଦର୍ଶାଉଛନ୍ତି । ଦୀର୍ଘଦିନର ଶତ୍ରୁ ରୁଷ ସହ ଭାରତର ସମ୍ପର୍କକୁ ହଜମ କରିପାରୁନି ଆମେରିକା । ଏଥିପାଇଁ ୟୁକ୍ରେନ ସହ ଯୁଦ୍ଧକୁ ବାହାନା କରୁଛି । ରୁଷଠୁ ତେଲ ଆମଦାନୀ ଯୁଦ୍ଧରେ କ୍ରେମଲିନକୁ ବଳବାନ ବନାଉଥିବା ଆମେରିକାର ଅଭିଯୋଗ । ତେଲ ଆମଦାନୀ ବନ୍ଦ ନକଲେ ଅତିରିକ୍ତ ଟାରିଫ ଲଗାଇବାକୁ ଧମକ ମଧ୍ୟ ଦେଉଛି । କେବଳ ସେତିକି ନୁହେଁ ଭାରତର ଅର୍ଥନୀତିକୁ ମୃତ କହିବା ସହ ଦେଶ ସହ ବାଣିଜ୍ୟ ସଫଳ ଓ ସନ୍ତୋଷଜନକ ନୁହେଁ ବୋଲି ଟ୍ରମ୍ପ ନିଜ ତାଜା ବୟାନରେ କହିଥିଲେ ।

ଆମେରିକାର ପ୍ରତ୍ୟେକ ବୟାନର ପାଲଟା ଉତ୍ତର ରଖି ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ରୁଷ ସହ ଅଶୋଧିତ ତୈଳ ଆମଦାନୀ ଜାରି ରଖିବ ଭାରତ ।  ସେପଟେ ଟ୍ରମ୍ପ ପ୍ରଶାସନକୁ ଟାରିଫ ବଦଳରେ କେମିତି ଜବାବ ଦିଆଯିବ ସେନେଇ କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରୁଛି । ଯାହାର ତାଜା ଉଦାହରଣ ଡୋଭାଲଙ୍କ ରୁଷ ଗସ୍ତ ।