କନକ ବ୍ୟୁରୋ: ଧମକ ପରେ ଧମକ । ଚୀନ ଆମେରିକା ମଧ୍ୟରେ ଅସ୍ତ୍ରଶସ୍ତ୍ର ଯୁଦ୍ଧକୁ ନେଇ ଯେତିକି ଆଶଙ୍କା ଦେଖାଯାଇନି ଯେତିକି ଏବେ ଟ୍ରେଡ୍ ୱାରକୁ ନେଇ ଦେଖାଦେଲାଣି । ଆମେରିକାର ରେସିପ୍ରୋକାଲ ଟାରିଫ ପାଇଁ ଯେଉଁଠି ସାରା ବିଶ୍ବ ଆତଙ୍କିତ ଅବସ୍ଥାରେ ରହିଛି ସେଠି ପାଲଟା ଶୁଳ୍କର ପାଲଟା ଜବାବ ଦେଉଛି ଚୀନ ।
ଆମେରିକାର ଟାରିଫ୍ ଧମକ, ଚୁପ୍ ବସିନି ଚୀନ୍
ପାଲଟା ଶୁଳ୍କର ପାଲଟା ଜବାବ
ବେଜିଂ ଉପରେ ଆମେରିକା ପ୍ରଥମେ ୩୪% ଅତିରିକ୍ତ ଟାରିଫ ଲଗାଇବା ପରେ ଜବାବରେ ଚୀନ ମଧ୍ୟ ସମାନ ୩୪% ପାଲଟା ଶୁଳ୍କ ଲଗାଇଥିଲା । ଯାହାକୁ ହଜମ କରିପାରିନାହାଁନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବେଜିଂ ଉପରେ ଅତିରିକ୍ତ ୫୦% ଟାରିଫ ଲଗାଇବାକୁ ଟ୍ରମ୍ପ ଚେତାବନୀ ଦେବା ପରେ ଏବେ ପୁଣି ଜବାବ ରଖିଛି ଚୀନ । ସମସ୍ତ ପ୍ରକାର ଯୁଦ୍ଧ ପାଇଁ ବେଜିଂ ପ୍ରସ୍ତୁତ ବୋଲି କହିଛି । ଚୀନ ବୈଦେଶିକ ମନ୍ତ୍ରାଳୟର ବୟାନରେ କୁହାଯାଇଛି ଯଦି ଏଭଳି ବାଣିଜ୍ୟିକ ଯୁଦ୍ଧ ଚାଲେ ତେବେ ଚୀନ୍ ଆଦୗ ବିଚଳିତ ହେବନି । ରାସ୍ତା ମୁସ୍କିଲ ହୋଇପାରେ କିନ୍ତୁ କୌଣସି ପ୍ରକାର ଚାପ ଆଗରେ ମୁଣ୍ଡ ନୁଆଁଇବନି । ସେପଟେ ଆମେରିକା ମଧ୍ୟ ନିଜ ଜିଦରେ ଅଟଳ । କେବଳ ଚୀନ୍କୁ ବାଦ୍ ଦେଇ। ଟାରିଫ୍କୁ ନେଇ ସମସ୍ତ ରାଷ୍ଟ୍ରମାନଙ୍କ ସହ ଆମେରିକା କଥା ହେବାକୁ ରାଜି ଅଛି ।
ଗୋଟେ ପଟେ ଟାରିଫକୁ ନେଇ ଆମେରିକା ଚୀନ ମଧ୍ୟରେ ତିକ୍ତତା ଚରମସୀମାର ପହଁଚିଥିବାବେଳେ ଅନ୍ୟାନ୍ୟ ଦେଶ ନିଜ ଉପରେ ଲାଗୁ ଟାରିଫକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେବେ ଭାରତକୁ ନେଇ ବିଶେଷଜ୍ଞଙ୍କ ଆକଳନ ଆଶ୍ବସ୍ତି ଦେଉଛି । ଟ୍ରମ୍ପଙ୍କ ଟାରିଫ ଭାରତୀୟ ଅର୍ଥନୀତିରେ ବିଶେଷ ପ୍ରଭାବ ପଡିବନି ବୋଲି ମତାମତ ରଖିଛନ୍ତି ବଜାର ବିଶେଷଜ୍ଞ । ସୋମବାର ସେୟାର ମାର୍କେଟରେ ଜବରଦସ୍ତ ଝଟକା ଲାଗିବାରେ ପରେ ମଙ୍ଗଳବାର ସାମାନ୍ୟ ଆଶ୍ବସ୍ତି ମିଳିଛି । ଉଭୟ ସେନସେକ୍ସ ଓ ନିଫଟିରେ ସୁଧାର ଆସିଛି ଯାହା ନିବେଶକଙ୍କ ଚିନ୍ତାକୁ କମ କରିଛି ।