କନକ ବ୍ୟୁରୋ: ବିଶ୍ୱ ରାଜନୀତି ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନମାନି ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ବିଶ୍ୱର ସେହି ଦେଶଗୁଡ଼ିକର ଅର୍ଥନୀତିକୁ ଆମେରିକା ଶୁଳ୍କ ମାଧ୍ୟମରେ ଟାର୍ଗେଟ୍ କରିବା ଆରମ୍ଭ କରିଛି । ଏବେ ଟ୍ରମ୍ପ୍ ଯାହା ଘୋଷଣା କରିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଭେନେଜୁଏଲା ଠାରୁ ଅଶୋଧିତ ତୈଳ କିଣୁଥିବା ବିଶ୍ୱର ଦେଶଗୁଡ଼ିକୁ ଟ୍ରମ୍ପ୍ ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ସେମାନଙ୍କ ଉପରେ ୨୫ ପ୍ରତିଶତ ଟିକସ ଲାଗିବ। ଏହି ଘୋଷଣା ଭାରତ ଓ ଚୀନ୍ ଭଳି ଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାର ଏକ କାରଣ ହେଉଛି, ଉଭୟ ଦେଶ ଭେନେଜୁଏଲାରୁ ବିପୁଳ ପରିମାଣର ଅଶୋଧିତ ତୈଳ କିଣୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଭାରତର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।
ଭେନେଜୁଏଲାର ଅଶୋଧିତ ତୈଳ ଆମଦାନୀ ଉପରେ ଆମେରିକା ରାଷ୍ଟ୍ରପତି ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ବ୍ୟାରେଲ ପିଛା ୭୩ ଡଲାର ଅତିକ୍ରମ କରିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାର ପାଖାପାଖି ପହଞ୍ଚିଛି ।
ଟ୍ରମ୍ପ୍ଙ୍କ ଖେଳ ଭାରତକୁ କାଳ !
-ଭେନେଜୁଏଲା ଭଳି ଦେଶଠୁ ତୈଳ ଆମଦାନୀ ଉପରେ ଏଭଳି ନିଷ୍ପତ୍ତି ନିଆଯାଇଛି
-ଯାହା ଦ୍ୱାରା ଆମେରିକୀୟ ତୈଳ ଯୋଗାଣ ସର୍ବାଧିକ ହୋଇପାରିବ
-ଭେନେଜୁଏଲାରୁ ଗ୍ୟାସ୍ ଓ ତେଲ କିଣୁଥିବା ଦେଶମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ
-ଆମେରିକା ସହ ବାଣିଜ୍ୟ କଲେ ୨୫ ପ୍ରତିଶତ ଶୁଳ୍କ ଦେବେ ବୋଲି ଟ୍ରମ୍ପ୍ଙ୍କ ଘୋଷଣା
ଏପ୍ରିଲ ୨ରୁ ନୂଆ ନିୟମ ଲାଗୁ ପରେ ଆଗକୁ କ’ଣ ରହୁଛି ବିଶ୍ୱ ଅର୍ଥନୀତିର ସ୍ଥିତି ତା ଉପରେ ନଜର ରହିବ